Categories: ଜାତୀୟ

ପାର୍ଟ-ଟାଇମ୍‌ ନେତ୍ରୀ ପ୍ରଥମେ ନିଜକୁ ଦର୍ପଣରେ ଦେଖିନ୍ତୁ, ପ୍ରିୟଙ୍କାଙ୍କୁ ଟାର୍ଗେଟ୍‌ କଲେ ସିନ୍ଦିଆ

ଭୋପାଳ,୧୫।୧୧: ମଧ୍ୟପ୍ରଦେଶରେ ନିର୍ବାଚନ ପ୍ରଚାରର ଶେଷ ପର୍ଯ୍ୟାୟରେ ଆରୋପ-ପ୍ରତ୍ୟାରୋପ ଜାରି ରହିଛି। ଏହି କ୍ରମରେ କେନ୍ଦ୍ରମନ୍ତ୍ରୀ ତଥା ଭାଜପା ନେତା ଜ୍ୟୋତିରାଦିତ୍ୟ ସିନ୍ଦିଆ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ ପାର୍ଟ ଟାଇମ ନେତ୍ରୀ ବୋଲି କହିଛନ୍ତି।
ସୋସିଆଲ ନେଟୱାର୍କିଂ ସାଇଟ ଏକ୍ସରେ କେନ୍ଦ୍ର ମନ୍ତ୍ରୀ ସିନ୍ଦିଆ ନିଜର ମତ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, ପ୍ରିୟଙ୍କା ଗାନ୍ଧୀ ଜୀ ଜଣେ ପାର୍ଟ ଟାଇମ ନେତ୍ରୀ, ତେବେ ମୁଁ ଆଶା କରେ ନାହିଁ ଯେ, ଏହି ଦୁଇଟି ପରମ୍ପରା ମଧ୍ୟରେ ପାର୍ଥକ୍ୟ ବୁଝିବାର କ୍ଷମତା ତାଙ୍କ ପାଖରେ ଅଛି – ଯେଉଁ ପରିବାରର ପୁଅମାନେ ଆଫଗାନିସ୍ତାନରୁ ମୋଗଲ ପର୍ଯ୍ୟନ୍ତ ମାତା ଭାରତକୁ ରକ୍ଷା କରିବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ଏବଂ ଅନ୍ୟ ଏକ ପରିବାର ଯିଏ ଭାରତକୁ ଚାଇନାଠାରୁ ରକ୍ଷା କରିବା ତ ଦୂରରେ ଥାଉ, ସେମାନେ ଭାରତୀୟ ଭୂମି ଉପହାର ସ୍ବରୂପ ଦେଇଥିଲେ। ଯେଉଁ ପରିବାରର ଦ୍ୱିତୀୟ ପ଼ିଢି କ୍ଷମତା ଲୋଭରେ ଜରୁରୀକାଳୀନ ପରିସ୍ଥିତି ଲଗାଇଥିଲେ ଏବଂ ବର୍ତ୍ତମାନର ପ଼ିଢି ମଧ୍ୟ ବିଦେଶୀ ଫୋରମ ଯାଇ ଦେଶକୁ ବଦନାମ କରୁଛନ୍ତି। ଅହଂକାରର ଶିକ୍ଷା ଦେବା ପୂର୍ବରୁ ଦୟାକରି ନିଜେ ଦର୍ପଣକୁ ଦେଖନ୍ତୁ ବୋଲି ପ୍ରିୟଙ୍କାଙ୍କୁ ପରାମର୍ଶ ଦେଇଛନ୍ତି ସିନ୍ଦିଆ।
ପ୍ରିୟଙ୍କା ଦତିଆ ସଭାରେ କହିଛନ୍ତି, ସିନ୍ଦିଆ ତାଙ୍କ ପରିବାରର ପରମ୍ପରାକୁ ଭଲ ଭାବରେ ପାଳନ କରିଛନ୍ତି। ସେ ଗ୍ବାଲିଅର-ଚାମ୍ବଲ ଲୋକଙ୍କ ପ୍ରତି ବିଶ୍ୱାସଘାତକତା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱର ବିଭିନ୍ନ ସ୍ଥାନରୁ ଭୟଭୀତ ତଥା ଦେଶଦ୍ରୋହୀମାନଙ୍କୁ ଏକାଠି କରି ତାଙ୍କ ଦଳ ଭାଜପାରେ ସାମିଲ କରିଥିଲେ। ଆମର ସିନ୍ଦିଆ ଜୀ ଉଚ୍ଚତା ଟିକିଏ ଛୋଟ, କିନ୍ତୁ ସେ ଅହଂକାରରେ ପରିପୂର୍ଣ୍ଣ।

Share