Categories: ଜାତୀୟ

ପାର୍ଥ ଚାଟାର୍ଜୀଙ୍କ ଘରେ ଚୋର

କୋଲକାତା,୨୮ ।୭: ପଶ୍ଚିମବଙ୍ଗର ମନ୍ତ୍ରୀ ତଥା ଏସଏସସି ଘୋଟାଲାର ମୁଖ୍ୟ ଅଭିଯୁକ୍ତ ପାର୍ଥ ଚାଟାର୍ଜୀଙ୍କ ଦକ୍ଷିଣ ୨୪ ପ୍ରଗଣା ସ୍ଥିତ ଘରେ ଚୋରି ହୋଇଥିବା ଅଭିଯୋଗ ହୋଇଛି । ମିିଳିଥିବା ସୂଚନା ଅନୁଯାୟୀ, ବୁଧବାର ରାତିରେ କେତେଜଣ ତାଲା ଭାଙ୍ଗି ତାଙ୍କ ଘରେ ପଶିଥିଲେ ଆଉ ବଡ ବଡ ବ୍ୟାଗରେ ଜିନିଷ ଭର୍ତ୍ତି କରି ସେଠାରୁ ଚାଲି ଯାଇଥିଲେ । ପଡୋଶୀ ତଥା ସ୍ଥାନୀୟ ଲୋକେ ଭାବିଥିଲେ କି ଇଡିର ଅଧିକାରୀମାନେ ତାଙ୍କ ଘରେ ଚଢାଉ କରୁଛନ୍ତି ।
ସୂଚନାଯୋଗ୍ୟ, ପାର୍ଥଙ୍କ ସମ୍ପର୍କୀୟ ତଥା ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ୨ଟି ଘରୁ ପାଖାପାଖି ୫୧ କୋଟି ଟଙ୍କା ଜବତ ହୋଇଛି । ଏହାସହ ତାଙ୍କ ଘରୁ ୫ କିଲୋ ସୁନା ଜବତ ହୋଇଛି । ଯାହାର ଦାମ ୨ରୁ ଅଢେଇ କୋଟି ଟଙ୍କା ହେବ ବୋଲି କୁହାଯାଉଛି । ଏହା ବ୍ୟତୀତ ଅଧା ଅଧା କିଲୋ ୬ଟି କଙ୍ଗନ ବି ଜବତ କରାଯାଇଛି । ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଲଗାତାର ଭାବେ ଶିକ୍ଷକ ଭର୍ତ୍ତି ଘୋଟାଲାର ଯାଞ୍ଚ କରୁଛି ।
ତେବେ ଅର୍ପିତାଙ୍କୁ ପଚରା ଉଚରା ସମୟରେ ସେ କହିଛନ୍ତି, ଜବତ ହୋଇଥିବା ସମସ୍ତ ଟଙ୍କା ପାର୍ଥ ଚାଟାର୍ଜୀଙ୍କର । ଅର୍ପିତା ଆହୁରି ମଧ୍ୟ ଦାବି କରିଛନ୍ତି ପାର୍ଥଙ୍କର କେତେଜଣ ଲୋକ ଟଙ୍କା ନେଇ ଏଠାକୁ ଆସୁଥିଲେ ଏହାସହ ପାର୍ଥ ବି କେବେକେବେ ସେମାନଙ୍କ ସହ ସେଠାକୁ ଆସୁଥିଲେ । ଅର୍ପିତା ଇଡି ସାମ୍ନାରେ ନିଜକୁ ନିର୍ଦ୍ଦୋଷ ବୋଲି କହିଥିବା ବେଳେ ଜବତ ଟଙ୍କା ସମ୍ପର୍କରେ ସେ କିଛି ଜାଣନ୍ତି ନାହିଁ ବୋଲି କହିଛନ୍ତି । ମୋତେ ଟଙ୍କା ରହିଥିବା କୋଠରିକୁ ଯିବାକୁ ଅନୁମତି ଦିଆଯାଇ ନ ଥିବା ସେ କହିଛନ୍ତି ।

Share