Categories: ଖେଳ

‘ନିଶ୍ଚିତ ଭାବେ ଚାପରେ ରହିବେ ହାର୍ଦ୍ଦିକ’

ନୂଆଦିଲ୍ଲୀ,୨୩।୨: ଆସନ୍ତା ଆଇପିଏଲ୍‌ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ନେବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ଏହାକୁ ନେଇ ରୋହିତ ଶର୍ମାଙ୍କ ପ୍ରଶଂସକ ଖପ୍ପା ଥିବା ବେଳେ ଏବେ ଭାରତର ପୂର୍ବତନ ଉଇକେଟକିପର ପାର୍ଥିବ ପଟେଲ ହାର୍ଦ୍ଦିକଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି।

ଜିଓ ସିନେମାକୁ ପାର୍ଥିବ କହିଛନ୍ତି, ନିଶ୍ଚିତ ଭାବେ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱ ଚର୍ଚ୍ଚାର ବିଷୟ। ସେ ଯେଉଁଭଳି ଭାବେ ଗୁଜରାଟ ଟାଇଟନ୍ସର ନେତୃତ୍ୱ ନେଇ ଡେବ୍ୟୁ ବର୍ଷରେ ଟାଇଟଲ ଜିତିଥିଲେ ଏବଂ ପରବର୍ଷ ଫାଇନାଲରେ ଅନ୍ତିମ ବଲ୍‌ରେ ରୋମାଞ୍ଚକର ସ୍ଥିତି ଯାଏ ପହଞ୍ଚିଥିଲେ, ତାହା ତାଙ୍କର ଉଜ୍ୱଳ ଯାତ୍ରାକୁ ବର୍ଣ୍ଣନା କରୁଛି। ପାଣ୍ଡ୍ୟା ଏବେ ପୁଣି ମୁମ୍ବାଇ ଫେରିଛନ୍ତି। ତାଙ୍କର ଏହି ଦଳରୁ କ୍ୟାରିୟର ଆରମ୍ଭ ହୋଇଥିଲା। ଏଣୁ ଦଳ ପକ୍ଷରୁ ତାଙ୍କ ଉପରେ କିଛି ଆଶା ରହିଛି। ଏଣୁ ତାଙ୍କର ନଜର ଟାଇଟର ଉପରେ ରହିବ। ଯେମିତିକି ଫାଇନାଲରେ ପ୍ରବେଶ କରିବା ନୁହେଁ ଟ୍ରଫି ଜିତିବା ଗୁରୁତ୍ୱ ରଖିବ। ଏଣୁ ହାର୍ଦ୍ଦିକଙ୍କ ଉପରେ ବହୁତ ଚାପ ରହିବ। ୫ଥର ଟାଇଟଲ ଜିତିଥିବା ଅଧିନାୟକଙ୍କ ସ୍ଥାନ ନେବା ସହଜ ନୁହେଁ। ୧୦ ବର୍ଷ ଧରି ଯେଉଁ ଟିମ୍‌ ଗୋଟିଏ ଶୈଳୀରେ ଖେଳି ଆସିଛି ତାର ନେତୃତ୍ୱ ନେବା ସଂଘର୍ଷପୂର୍ଣ୍ଣ ହେବ ବୋଲି ସେ କହିଛନ୍ତି।
କହିରଖୁଛୁ, ଆଇପିଏଲ୍‌ରେ ୨୧ ମ୍ୟାଚ୍‌ରୁ ୪ ମ୍ୟାଚ୍‌ ମୁମ୍ବାଇ ଖେଳିବ। ମାର୍ଚ୍ଚ ୨୪ରୁ ଗୁଜରାଟ ବିପକ୍ଷରେ ଦଳ ଯାତ୍ରା ଆରମ୍ଭ କରିବ। ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମୁକାବିଲା ଖେଳାଯିବ। ଗତବର୍ଷ ହାର୍ଦ୍ଦିକ ଗୁଜରାଟର ଅଧିନାୟକ ଥିଲେ।

Share