୧୮ ସେପ୍ଟେମ୍ବର ପର୍ଯ୍ୟନ୍ତ ବଢ଼ିଲା ଆଂଶିକ ଲକ୍‌ଡାଉନ୍‌…

ଆଇଜଲ୍‌,୬।୯: ମିଜୋରାମ ସରକାର ଆଇଜଲ ମ୍ୟୁନିସିପାଲିଟି କର୍ପୋରେସନ ଅଞ୍ଚଳରେ ଆଂଶିକ ଲକ୍‌ଡାଉନ ଘୋଷଣା କରିବା ସହିତ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ କୋଭିଡ ସମ୍ବନ୍ଧୀୟ କଟକଣାକୁ ସେପ୍ଟେମ୍ବର ୧୮ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ତେବେ କଟକଣାକୁ କିଛିା ମାତ୍ରାରେ କୋହଳ କରାଯାଇଛି।

ଅଗଷ୍ଟ ୨୦ରେ ଲାଗୁ କରାଯାଇଥିବା କୋଭିଡ କଟକଣାକୁ ପୁଣି ବୃଦ୍ଧି କରାଯାଇଥିବା ନେଇ ନିର୍ଦ୍ଦେଶ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଛି। ଆଇଜଲ ମ୍ୟୁନିସିପାଲିଟି କର୍ପୋରେସନ ଅଞ୍ଚଳରେ ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି ଦିଆଯାଇ ନ ଥିବାବେଳେ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ କୋଭିଡମୁକ୍ତ ଅଞ୍ଚଳରେ ଥିବା ସ୍କୁଲ ଏବଂ କଲେଜଗୁଡ଼ିକରେ ଅଫ୍‌ଲାଇନ୍‌ କ୍ଲାସ ଆରମ୍ଭ କରିବାକୁ ଅନୁମତି ଦିଆଯାଇଛି।

ଆଇଜଲ ସହର ବାହାରେ କୋଭିଡମୁକ୍ତ ଅଞ୍ଚଳରେ ପୂଜାପାଠ ସ୍ଥାନ ଖୋଲିବାକୁ ଅନୁମତି ଦିଆଯାଇଛି। ସୋମବାର ମିଜୋରାମରେ ୧୩୩୦ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୪,୨୨୮କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ଦୁଇଜଣ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ମୋଟ ମୃତକଙ୍କ ସଂଖ୍ୟା ୨୨୪ ଛୁଇଁଛି।

ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅଧିକାଂଶ ଶିଶୁ ରହିଛନ୍ତି। ଆଇଜଲରେ ସର୍ବାଧିକ ସଂକ୍ରମିତ ହୋଇଛନ୍ତି। ବର୍ତ୍ତମାନ ରାଜ୍ୟରେ ୧୦,୫୩୮ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Share