Categories: ବାଣିଜ୍ୟ

ଇନ୍‌ଭେସ୍‌କୋ ସହ ଆଇଆଇଏଚ୍‌ଏଲ୍‌ର ସହ ଭାଗିତା

ଭୁବନେଶ୍ୱର,୧୨।୪: ଇଣ୍ଡସ୍‌ଇଣ୍ଡ୍‌ ଇଣ୍ଟରନ୍ୟାଶନାଲ ହୋଲ୍‌ଡିଂସ୍‌ ଲିମିଟେଡ୍‌ (ଆଇଆଇଏଚ୍‌ଏଲ୍‌) ଏବଂ ଇନ୍‌ଭେସ୍‌କୋ ଲିମିଟେଡ୍‌ ମଧ୍ୟରେ ଏକ ଯୌଥ ଉଦ୍ୟୋଗ ସ୍ଥାପନକୁ ନେଇ ନିକଟରେ ସହଭାଗିତା ସ୍ଥାପନ ହୋଇଛି। ଏପରିକି ଇନ୍‌ଭେସ୍‌କୋ ଆସେଟ୍‌ ମ୍ୟାନେଜମେଣ୍ଟ ଇଣ୍ଡିଆ ଲିମିଟେଡ୍‌ (ଆଇଏଏମ୍‌ଆଇଏଲ୍‌)ର ୬୦% ଅଂଶଧନକୁ ଆଇଆଇଏଚ୍‌ଏଲ୍‌ ଅଧିଗ୍ରହଣ କରିବ। ଉଲ୍ଲେଖଯୋଗ୍ୟ, ଆଇଏଏମ୍‌ଆଇ ହେଉଛି, ଇନ୍‌ଭେସ୍‌କୋ ଲିମିଟେଡ୍‌ର ଭାରତୀୟ ଶାଖା କମ୍ପାନୀ, ଯାହାର ପରିଚାଳନା ଅଧୀନ ସମ୍ପତ୍ତି ପରିମାଣ ୧.୬ ଟ୍ରିଲିଅନ୍‌ ଡଲାର ରହିଛି।

ଆଇଆଇଏଚ୍‌ଏଲ୍‌ ହେଉଛି, ଇଣ୍ଡସ୍‌ଇଣ୍ଡ୍‌ ବ୍ୟାଙ୍କ ପ୍ରତିଷ୍ଠା କରିଥିବା ସଂସ୍ଥା ଯାହା ଭାରତର ୫ମ ବୃହତମ ଘରୋଇ ବ୍ୟାଙ୍କ। ଭାରତୀୟ ରିଜର୍ଭ ବ୍ୟାଙ୍କ ଅଧୀନରେ ପରିଚାଳିତ ହେଉଥିବା ଏହି ବ୍ୟାଙ୍କ ବିଏସ୍‌ଇ ଓ ଏନ୍‌ଏସ୍‌ଇରେ ତାଲିକାଭୁକ୍ତ ରହିଛି। ନୂତନ ଭାବେ ଗଠନ ହେବାକୁ ଥିବା ଯୌଥ ଉଦ୍ୟୋଗରେ ଇନ୍‌ଭେସ୍‌କୋର ୪୦% ଅଂଶଧନ ରହିବ ଏବଂ ଉଭୟ ତା’ର ପ୍ରାୟୋଜକ ମାନ୍ୟତା ବଜାୟ ରଖିବେ। ଏ ନେଇ ଆଇଆଇଏଚ୍‌ଏଲ୍‌ର ଅଧ୍ୟକ୍ଷ ଅଶୋକ ହିନ୍ଦୁଜା କହିଛନ୍ତି,ଇନ୍‌ଭେସ୍କୋ ସହିତ ଏହି ସହଭାଗିତା ଆମ ବ୍ୟବସାୟ ଦର୍ଶନ ଏବଂ ନୀତି ‘ଅଭିବୃଦ୍ଧି ପାଇଁ ସହଯୋଗିତା’ ଏବଂ ‘ଆକ୍ଟ ଲୋକାଲ ଥିଙ୍କ୍‌ ଗ୍ଲୋବାଲ’ ସହ ସଂଯୁକ୍ତ ଏବଂ ଏହା ଆମ ଅଂଶୀଦାରମାନଙ୍କ ପାଇଁ ମୂଲ୍ୟ ସୃଷ୍ଟି ଯାତ୍ରାର ଆଉ ଏକ ପଦକ୍ଷେପ ହେବ ବୋଲି ଆକଳନ କରାଯାଉଛି।

ଇନ୍‌ଭେସ୍କୋ ଏସିଆ ପ୍ୟାସିଫିକ୍‌ର ବରିଷ୍ଠ ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଣ୍ଡ୍ରି୍ୟୁ ଲୋ କହିଛନ୍ତି, ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବଜାରରେ ଅଧିକ ଘରୋଇ ନିବେଶକଙ୍କୁ ସେବା ଯୋଗାଇବା ପାଇଁ ଆମର ଉଚ୍ଚ ଗୁଣବତ୍ତା, ବିଶ୍ୱସ୍ତରୀୟ ଏବଂ ଘରୋଇ ନିବେଶ କ୍ଷମତାର ବିତରଣ ଜାରି ରଖିବା ପାଇଁ ଆମେ ଆଇଆଇଏଚ୍‌ଏଲ୍‌ ସହିତ ସହଯୋଗିତା ସ୍ଥାପନକରି ଉତ୍ସାହିତ ଅଛୁ।

Share