କୋଭିଡ୍‌ ନିୟମ ଉଲ୍ଲଂଘନ କରି ଦଳୀୟ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି,୩୧।୭(ଡି.ଏନ୍‌.ଏ.): ବ୍ରହ୍ମପୁର ଏମ୍‌ପିଙ୍କ ବିରୋଧରେ କରୋନା ନିୟମ ଉଲ୍ଲଂଘନ ଅଭିଯୋଗ ଆଣିଛି ଭାଜପା ଓ କଂଗ୍ରେସ। ଗଜପତି ଜିଲା ଗୋଷାଣୀ ବ୍ଲକର ଗାରାବନ୍ଧଠାରେ ଏମ୍‌ପି ଚନ୍ଦ୍ରଶେଖର ସାହୁ କୋଭିଡ୍‌ କଟକଣାକୁ ଫୁ କରି ଦେଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଏମ୍‌ପି ସାହୁ ଏହାକୁ ଖଣ୍ଡନ କରିଛନ୍ତି। କୋଭିଡ୍‌ ନିୟମ ମାନି ସମସ୍ତ କାର୍ଯ୍ୟକ୍ରମ ହୋଇଥିବା ସେ କହିଛନ୍ତି।
ଗୋଷାଣୀ ବ୍ଲକ ଗାରାବନ୍ଧଠାରେ ବିଜେଡି ଜୋନସ୍ତରୀୟ ବୈଠକ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏଠାରେ ଶତାଧିକ ଲୋକ ଏକାଠି ହୋଇଥିଲେ। ଯେଉଁଥିରେ ବ୍ରହ୍ମପୁର ଏମ୍‌ପିଙ୍କ ସମେତ ଜିଲାସ୍ତରୀୟ ବହୁ ବିଜେଡି ନେତା ଉପସ୍ଥିତ ଥିଲେ। ସଭା ପୂର୍ବରୁ ଏକ ବିରାଟ ବାଇକ ରାଲି ହୋଇଥିଲା। ପରେ କର୍ମୀମାନଙ୍କ ପାଇଁ ଭୋଜି ଆୟୋଜନ ହୋଇଥିଲା। ତେବେ କାର୍ଯ୍ୟକ୍ରମରେ ସାମାଜିକ ଦୂରତା ରକ୍ଷା କରାଯାଇ ନ ଥିବା ବେଳେ କାହାରି ମୁହଁରେ ମାସ୍କ ନ ଥିବା ଭିଡିଓ ଭାଇରାଲ ହୋଇଛି। ଏହାକୁ ନେଇ ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ କହିଛନ୍ତି, ସାଧାରଣ ଲୋକେ ନିୟମ ଭାଙ୍ଗିଲେ ପ୍ରଶାସନ ହଜାର ହଜାର ଟଙ୍କା ଜରିମାନା କରୁଛି। ବିଜେଡି କାର୍ଯ୍ୟକ୍ରମରେ ପ୍ରଶାସନ କିପରି ନୀରବ ରହିଛି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ପକ୍ଷରୁ କୁହାଯାଇଛି, ଗାରାବନ୍ଧ ଥାନା ସମ୍ମୁଖ ଦେଇ ବିଜେଡିର ବାଇକ ରାଲି ଗଲା। ପୋଲିସ ନୀରବଦ୍ରଷ୍ଟା ସାଜିବା ଆଶ୍ଚର୍ଯ୍ୟ ଘଟଣା। ଆଗାମୀ ଦିନରେ ଯୁବ କଂଗ୍ରେସ ପକ୍ଷରୁ ଏ ନେଇ ଥାନାରେ ଏତଲା ଦିଆଯିବ ବୋଲି ଗଜପତି ଜିଲା ଯୁବ କଂଗ୍ରେସ ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି।

Share