Categories: ଖେଳ

ପାରୁଲ, ଆନ୍‌ସିଙ୍କୁ ରୌପ୍ୟ

ହାଙ୍ଗଝୋ,୩।୧୦: ଭାରତର ପାରୁଲ ଚୌଧାରୀ ଓ ଆନ୍‌ସି ସୋଜାନ ଏସିଆନ ଗେମ୍ସର ଆଥଲେଟିକ୍ସ ଇଭେଣ୍ଟରୁ ସୋମବାର ରୌପ୍ୟ ପଦକ ହାସଲ କରିଛନ୍ତି। ୪x୪୦୦ ମିଟର ମିକ୍ସଡ ରିଲେ ଦଳ ମଧ୍ୟ ରୌପ୍ୟ ପଦକ ହାସଲ କରିଛି। ମହିଳା ୩୦୦୦ ମିଟର ଷ୍ଟିପ୍‌ଲଚେଜ୍‌ରେ ପାରୁଲ ରୌପ୍ୟ ଓ ପ୍ରୀତି ବ୍ରୋଞ୍ଜ ପଦକ ପାଇଛନ୍ତି। ମହିଳା ଲଙ୍ଗଜମ୍ପରେ ଆନ୍‌ସି ରୌପ୍ୟ ପଦକ ଅର୍ଜନ କରିଛନ୍ତି। ୪x୪୦୦ ମିଟର ମିକ୍ସଡ ରିଲେ ଦଳ ଶ୍ରୀଲଙ୍କା ପଛକୁ ରହି ବ୍ରୋଞ୍ଜ ପଦକ ପାଇଥିଲା। ମାତ୍ର ଶ୍ରୀଲଙ୍କା ପ୍ରତିଯୋଗୀଙ୍କ ଲେନ୍‌ ବଦଳ ଯୋଗୁ ଭାରତର ବ୍ରୋଞ୍ଜ୍‌ ପଦକ ରୌପ୍ୟକୁ ପରିବର୍ତ୍ତିତ ହୋଇଥିଲା।
୩୦୦୦ ମିଟର ଷ୍ଟିପଲଚେଜ୍‌ରେ ପାରୁଲ ୯:୨୭.୬୩ ସେକେଣ୍ଡ ନେଇ ଦ୍ୱିତୀୟ ସ୍ଥାନରେ ରହିଥିଲେ। ତାଙ୍କ ବାହାରିନ ପ୍ରତିଯୋଗୀ ଗେମ୍ସ ରେକର୍ଡ ସହ ୯:୧୮.୨୮ ସେକେଣ୍ଡ ସହ ସ୍ବର୍ଣ୍ଣ ପଦକ ପାଇଥିଲେ। ପୂର୍ବରୁ ଏସିଆନ ଗେମ୍ସ ରେକର୍ଡ ୯:୩୧.୩୬ ସେକେଣ୍ଡ ଥିଲା। ୨୦୧୪ ଏସିଆନ ଗେମ୍ସରେ ବାହାରିନର ଜେବେଟ ରୁଥ୍‌ ଏହି ରେକର୍ଡର ଅଧିକାରିଣୀ ଥିଲେ। ପାରୁଲ କିନ୍ତୁ ଏଠାରେ ନିଜ ଜାତୀୟ ରେକର୍ଡ ୯:୧୫.୩୧ ସେକେଣ୍ଡ ସମକକ୍ଷ ପ୍ରଦର୍ଶନ କରିପାରି ନ ଥିଲେ। ସେ ବୁଦାପେଷ୍ଟ ବିଶ୍ୱ ଚାମ୍ପିୟନଶିପ୍‌ରେ ଏହି ଟାଇମିଂ ସହ ଅଲିମ୍ପିକ୍ସ ଯୋଗ୍ୟତା ପାଇଥିଲେ। ତାଙ୍କ ସାଥୀ ପ୍ରୀତି ୯:୪୩.୩୨ ସେକେଣ୍ଡ ସମୟ ନେଇ ତୃତୀୟ ସ୍ଥାନରେ ରହିଥିଲେ। ମହିଳା ଲଙ୍ଗଜମ୍ପରେ ଆନ୍‌ସି ଦୁଇଥର ନିଜ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିବା ସହ ୬.୬୩ ମିଟର କ୍ଲିୟର କରି ରୌପ୍ୟ ପଦକ ପାଇଥିଲେ। ଚାଇନାର ଶିକି ଜିଅଙ୍ଗ ୬.୭୩ ମିଟର ସହିତ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଭିଏତନାମର ନାଗା ୟାନ ୟୁ ୬.୫୦ ମିଟର ସହ ବ୍ରୋଞ୍ଜ ପାଇଥିଲେ। ଏଥିରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଅନ୍ୟତମ ଭାରତୀୟ ଶାଇଲି ସିଂ ୫ମ ସ୍ଥାନରେ ରହିଥିଲେ।
୪x୪୦୦ ମିଟର ମିକ୍ସଡ ଟିମ୍‌ ରିଲେରେ ଭାରତର ମହମ୍ମଦ ଆଜମଲ ଭାରିୟାଥୋଡି, ଭିଥ୍ୟା ରାମରାଜ, ରାଜେଶ ରମେଶ ଓ ଶୁଭା ଭେଙ୍କଟେଶ୍‌ ୩:୧୪.୩୪ ସେକେଣ୍ଡ ସମୟ ନେଇ ତୃତୀୟ ସ୍ଥାନରେ ରହିଥିଲେ। ମାତ୍ର ୩:୧୪.୨୫ ସେକେଣ୍ଡ ନେଇ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଶ୍ରୀଲଙ୍କା ଦଳ ଲାଇନ୍‌ ବଦଳ କରିଥିବା କାରଣରୁ ଅଯୋଗ୍ୟ ଘୋଷିତ ହୋଇଥିଲା। ଫଳରେ ଭାରତକୁ ରୌପ୍ୟ ପଦକ ମିଳିଥିଲା। ବାହାରିନ ଦଳ ୩:୧୪.୦୨ ଓ କାଜାଖସ୍ତାନ ଦଳ ୩:୨୪.୮୫ ସେକେଣ୍ଡ ସହିତ ଯଥାକ୍ରମେ ସ୍ବର୍ଣ୍ଣ ଓ ବ୍ରୋଞ୍ଜ ପଦକ ପାଇଥିଲେ। ପୁରୁଷ ୨୦୦ ମିଟରରେ ଭାରତର ଅମ୍ଳାନ ବୋରଗୋହେନ ୨୦.୯୮ ସେକେଣ୍ଡ ନେଇ ୬ଷ୍ଠ ସ୍ଥାନରେ ରହିଥିଲେ।

Share