ଚଢ଼ାଉ ସତ୍ତ୍ୱେ ପାର୍ବଣ ଭିଡ଼

ଭୁବନେଶ୍ୱର,୨୫।୧୦ (ବ୍ୟୁରୋ): ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ସରକାର ଓ ପ୍ରଶାସନ ସ୍ବତନ୍ତ୍ର କରୋନା ଗାଇଡ୍‌ଲାଇନ୍‌ ଜାରି କରିଥିବାବେଳେ ପୋଲିସ ଲୋକଙ୍କୁ ସତର୍କ ଓ ସଚେତନ କରି ଆସୁଛି। ହେଲେ ରାଜଧାନୀର ହାଟ, ବଜାର, ମଲ୍‌ରେ ଏବେ ପାର୍ବଣ ଭିଡ଼ ଅସମ୍ଭାଳ ହୋଇପଡୁଛି। ପୋଲିସର ବାରମ୍ବାର ଚଢ଼ାଉ ସତ୍ତ୍ୱେ କିଛି ବି ଫରକ୍‌ ଜଣାପଡୁନି। ଯାଞ୍ଚକୁ ଦେଖି ନିୟମ ପାଳନ ହେଉଛି, କିନ୍ତୁ ପୋଲିସ ଯିବାପରେ କିଏ ମାନୁଛି? ଦିନଠାରୁ ସନ୍ଧ୍ୟାର ସ୍ଥିତି ପୂରା ବିଗିଡି ଯାଉଛି। ବିଶେଷ କରି ମାର୍କେଟ ବିଲ୍ଡିଂ, ୟୁନିଟ୍‌-୧ ମାର୍କେଟ, ମାଷ୍ଟର କ୍ୟାଣ୍ଟିନ, ରାଜମହଲ, ବାପୁଜୀନଗର, ଆଇଡି ମାର୍କେଟ, ଡମଣା ଆଦି ପ୍ରମୁଖ ବଜାରରେ ପୋଲିସ ଉପସ୍ଥିତିରେ ବି ଲୋକଙ୍କ ଭିଡ଼ ଲାଗି ରହୁଛି। ଲୋକଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରହୁ ନ ଥିବାବେଳେ ଅନେକ ଠିକ୍‌ ଭାବେ ମାସ୍କ ନ ପିନ୍ଧି କିଣାକିଣି ଓ ଖିଆପିଆରେ ବ୍ୟସ୍ତ ରହୁଛନ୍ତି। ବ୍ୟବସାୟୀ କିମ୍ବା ମଲ୍‌ କର୍ମଚାରୀମାନେ ଗ୍ରାହକଙ୍କୁ ତାଗିଦ୍‌ କରିବାକୁ ଚାହୁଁନାହାନ୍ତି। ବାହାର ଦୋକାନଠାରୁ ମଲ୍‌ ଓ ଶୋ’ରୁମ୍‌ରେ ଖୋଲାଖୋଲି ନିୟମ ଉଲ୍ଲଂଘନ ହେଉଛି। ଫଳରେ ଏସବୁ ସ୍ଥାନରୁ ସଂକ୍ରମଣ ଆଶଙ୍କା ଅଧିକ ରହୁଛି। ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ହେଲେ ହ୍ରାସ ପାଉଥିବା ସଂକ୍ରମଣ ପୁଣି ବଢ଼ିବାର ସମ୍ଭାବନା ସୃଷ୍ଟି ହୋଇଛି।

Share