Categories: ଫୁରସତ

ଯୋଗାମୁଦ୍ରାରେ ପଶୁପତି…

ଯୋଗର ଆରମ୍ଭ ପ୍ରାକ୍‌ ବୈଦିକ ଯୁଗରୁ ହୋଇଛି ବୋଲି ଗ୍ରହଣ କରାଯାଇଥାଏ । ସିନ୍ଧୁ ସଭ୍ୟତାରୁ ମିଳିଥିବା ପୋଡ଼ାମାଟି ମୁଦ୍ରାରେ ପଶୁପତି ଯୋଗାସନ ମୁଦ୍ରାରେ ବସିଥିବାର ଖୋଦେଇ ଛବି ଯୋଗ ବିଦ୍ୟାର ପ୍ରାଚୀନତା ସମ୍ପର୍କରେ ସୂଚନା ପ୍ରଦାନ କରିଥାଏ। ଋଗ୍‌ବେଦରେ ମଧ୍ୟ ଯୋଗ ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ବିଭିନ୍ନ ଉପନିଷଦ ଅନୁସାରେ ସ୍ବାସ୍ଥ୍ୟ ରକ୍ଷା କ୍ଷେତ୍ରରେ ଯୋଗ ବହୁ ପୁରାତନ ସମୟରୁ ସମାଜରେ ଲୋକଙ୍କ ମଧ୍ୟରେ ବେଶ୍‌ ଲୋକପ୍ରିୟ ହୋଇ ରହି ଆସିଛି। ବିଭିନ୍ନ ପୁରାତନ ବୌଦ୍ଧ ଗ୍ରନ୍ଥରେ ଯୋଗ ଶାସ୍ତ୍ର ବିଷୟରେ ଦର୍ଶାଯାଇଛି। ପତଞ୍ଜଳିଙ୍କ ଯୋଗସୂତ୍ରରେ ଯୋଗ ଦ୍ୱାରା ସୁସ୍ବାସ୍ଥ୍ୟ, ଏହାର ମାନସିକ ପ୍ରଭାବ ସମ୍ପର୍କରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି। ବୈଦିକ ଷଡଦର୍ଶନ ଏବଂ ପତଞ୍ଜଳିଙ୍କ ଯୋଗସୂତ୍ର ମଧ୍ୟରେ ବହୁ ସାମ୍ୟତା ମଧ୍ୟ ରହିଛି । ଯୋଗର ବିଭିନ୍ନ ମାର୍ଗ ସମ୍ପର୍କରେ ଶ୍ରୀମଦ୍‌ ଭଗବତ୍‌ ଗୀତାରେ ଉଲ୍ଲେଖ କରାଯାଇଛି। ଏହା ଯୁଗଯୁଗ ଧରି ମାନବ ସମାଜକୁ ଯୋଗ ସାଧନା ଯୋଗୁ ହେଉଥିବା ଅନ୍ତର୍ଚେତନାର ବିକାଶ ଓ ମହାଚେତନା ସହ ମିଳନ ସମ୍ପର୍କରେ ଅବଗତ କରାଉଛି। ମହାଚେତନା ପରମାତ୍ମାଙ୍କ ସହିତ ଅନ୍ତର୍ଚେତନା ଜୀବାତ୍ମାର ମିଳନ ହିଁ ଯୋଗର ଆକ୍ଷରିକ ଅର୍ଥ ବୋଲି ଯୋଗ ଗୁରୁ କହିଥାନ୍ତି। ଯୋଗ ଭାରତର ପ୍ରାଚୀନ ସଂସ୍କୃତିର ଏକ ଅମୂଲ୍ୟ ଉପହାର । ଏହା ମନ ଏବଂ ଶରୀର ମଧ୍ୟରେ ସଂଯୋଗ ସ୍ଥାପନ କରିବାକୁ ସକ୍ଷମ ହୋଇଥାଏ। ବିଭିନ୍ନ କ୍ରିୟା, ସଂଯମତା, ଜୀବନରେ ପୂର୍ଣ୍ଣତା, ପ୍ରକୃତି ସହ ତାଳମେଳ, ସୁସ୍ବାସ୍ଥ୍ୟ ଏବଂ ସମୃଦ୍ଧି ଲାଗି ଯୋଗକୁ ଏକ ସିଦ୍ଧ ଉପଚାର ଭାବେ ଗ୍ରହଣ କରାଯାଏ । ଯୋଗ କେବଳ ଏକ ବ୍ୟାୟାମ ନୁହେଁ ବରଂ ନିଜ ଭିତରେ ଜଗତ ଏବଂ ପ୍ରକୃତି ସହ ଏକାଗ୍ରତାକୁ ଆବିଷ୍କାର କରିବାର ଏକ ମାଧ୍ୟମ। ଯୋଗ ମାଧ୍ୟମରେ ସ୍ବଚେତନା ଉଦ୍ରେକ କରି ସାଧକ ନିଜ ଜୀବନଶୈଳୀରେ ପରିବର୍ତ୍ତନ ଆଣି ପାରିପାର୍ଶ୍ୱିକ ଜଗତ ସହିତ ଖାପ ଖୁଆଇ ଚଳିବାକୁ ସକ୍ଷମ ହୋଇଥାନ୍ତି। ତେଣୁ ପ୍ରତିଦିନ କିଛି ସମୟ ଯୋଗ କରିବା ସଭିଙ୍କ ପାଇଁ ଅପରିହାର୍ଯ୍ୟ।

Share