Categories: ଜାତୀୟ

ଅପରେଶନ୍‌ ଏଲ୍‌ଜେପି: ପୁତୁରା ବିରୋଧରେ ବିଦ୍ରୋହ କରି ସଂସଦୀୟ ଦଳର ନେତା ହେଲେ ପଶୁପତି

ପାଟନା/ନୂଆଦିଲ୍ଲୀ,୧୪।୬: ଏକଦା ବିହାର ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି)ରେ ଏବେ ଫାଟ ସୃଷ୍ଟି ହୋଇଛି। ଦଳର ନେତା ରାମ ବିଳାସ ପାସଓ୍ବାନଙ୍କ ନିଧନ ପରେ ଏଲ୍‌ଜେପିରେ ଲଗାତର ବିବାଦ ଘନେଇବାରେ ଲାଗିଛି। ତାଙ୍କ ବିୟୋଗର ମାତ୍ର ୮ମାସ ପରେ ଦଳ ଭାଙ୍ଗିବାରେ ଲାଗିଛି। ରାମବିଳାସଙ୍କ ଭାଇ ପଶୁପତି କୁମାର ପାରସ ଦଳର ଅନ୍ୟ ଏମ୍‌ପିଙ୍କ ସହ ମିଶି ଚିରାଗଙ୍କ ବିରୋଧରେ ବିଦ୍ରୋହ କରିଛନ୍ତି। ଦଳର ଏମ୍‌ପିମାନେ ଚିରାଗ ପାସଓ୍ବାନଙ୍କୁ ଲୋକ ସଭାରେ ନେତାଙ୍କ ପଦରୁ ହଟାଇ ଦେଇଛନ୍ତି। ଆଉ ତାଙ୍କ ସ୍ଥାନରେ ସୋମବାର ପଶୁପତି କୁମାର ସର୍ବସମ୍ମତିକ୍ରମେ ଲୋକ ସଭାରେ ଏଲ୍‌ଜେପିର ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ ହୋଇଛନ୍ତି। ଜୁନ ୧୩ରେ ବସିଥିବା ଏକ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଥିଲା। ସୋମବାର ଏଲ୍‌ଜେପିର ୫ବିଦ୍ରୋହୀ ନେତା ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଭେଟିଥିଲେ। ଏନେଇ ସେ ବାଚସ୍ପତିଙ୍କୁ ଜଣାଇଛନ୍ତି। ଏହା ପୂର୍ବରୁ ଏକ ଖବରଦାତା ସମ୍ମିଳନୀରେ ପଶୁପତି ପାରସ ସକହିଛନ୍ତି, ସେ ଦଳକୁ ଭାଙ୍ଗି ନାହାନ୍ତି ବରଂ ବଞ୍ଚାଇବାକୁ ଉଦ୍ୟମ କରିଛନ୍ତି। ଅନ୍ୟପଟେ ଦଳରେ ବିଦ୍ରୋହ ପରେ ସକାଳେ ଚିରାଗ ପାସୱାନ ନିଜ ଦାଦା ପଶୁପତି ପାରସଙ୍କୁ ଭେଟିବାକୁ ଦିଲ୍ଲୀ ସ୍ଥିତ ତାଙ୍କ ଘରେ ପହଞ୍ଚିଥିଲେ। କିନ୍ତୁ ପଶୁପତି ଦୀର୍ଘ ସମୟ ଧରି ଘରର କବାଟ ଖୋଲି ନ ଥିଲେ। ଫଳରେ ଚିରାଗଙ୍କୁ ପାଖାପାଖି ୨୦ ମିନିଟ ଧରି ବାହାରେ ଅପେକ୍ଷା କରିବାକୁ ପଡ଼ିଥିଲା। ଏହାପରେ ସେ ଘର ଭିତରକୁ ଯାଇଥିଲେ।

Share