ଗାଡ଼ି ଯାଞ୍ଚରୁ ମିଳିଲା ୟୁପି ବିଧାନସଭାର ପାସ୍‌, ୪ ବୋମା, ୫୦କେଜି ଗଞ୍ଜେଇ

ସମ୍ବଲପୁର,୧୩।୨(ବ୍ୟୁରୋ): ସମ୍ବଲପୁର ଜିଲା ଠେଲକୋଲି ଥାନା ଅଧୀନ ଖିଣ୍ଡା ଛକରେ ପୋଲିସ ଗାଡ଼ି ଯାଞ୍ଚ ବେଳେ ଏକ କାରରୁ ୪ଟି ବୋମା, ୫୦ କେଜି ଗଞ୍ଜେଇ ସହ ଉତ୍ତରପ୍ରଦେଶ ବିଧାନସଭା ପ୍ରବେଶ ପାଇଁ ପାସ୍‌ ଓ ଏକାଧିକ ନମ୍ବର ପ୍ଳେଟ ଜବତ କରିଛି। ହେଲେ ଘଟଣାସ୍ଥଳରୁ ୨ଜଣ ଦୁର୍ବୃତ୍ତ ଫରାର ହୋଇଯାଇଛନ୍ତି ।

ମିଳିଥିବା ସୂଚନା ମୁତାବକ ରବିବାର ବିଲମ୍ବିତ ରାତିରେ ଠେଲକୋଲି ଥାନା ଖିଣ୍ଡା ନିକଟରେ ପୋଲିସର ଏମ୍‌ଭି ଚେକିଂ ଚାଲିଥିଲା । ସେତିକିବେଳେ ଓଆର୍‌୦୨ଆର୍‌-ବିଆର୍‌-୭୦୭୦ ନମ୍ବର ଥିବା ଏକ ଗାଡ଼ି ପୋଲିସ ଟିମ୍‌କୁ ଦେଖି ଅଟକିଥିଲା। ହେଲେ ପରବର୍ତ୍ତୀ ସମୟରେ ଗାଡି ଛାଡି ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ପୋଲିସ ସନ୍ଦେହ କରି ଗାଡିକୁ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଗାଡିରୁ ଗଞ୍ଜେଇ, ୪ଟି ବୋମା ଓ ଏକାଧିକ ନମ୍ବରପ୍ଳେଟ ସହ ବିଭିନ୍ନ ସାମଗ୍ରୀ ଜବତ କରିଥିଲା।

ଅନ୍ୟପକ୍ଷେ ଗଞ୍ଜେଇ ଭର୍ତ୍ତି ଗାଡିରୁ ୟୁପି ବିଧାନସଭାର ପାସ୍‌ ଏବଂ ବୋମା ମିଳିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଦୁର୍ବୃତ୍ତମାନେ ଉକ୍ତ ଗାଡିରେ ଭୟଭୀତ କରିବା ପାଇଁ ବୋମା ରଖିଥିଲେ ନା ଚାଲାଣ କରୁଥିଲେ ଏହାକୁ ନେଇ ପ୍ରଶ୍ନ ଉଠିଛି। ଗାଡି ଛାଡି ଚାଲିଯିବା ସମୟରେ ପୋଲିସ ଦୁର୍ବୃତ୍ତମାନଙ୍କୁ କାବୁ ନ କରିବା ଘଟଣା ପୋଲିସର କାର୍ଯ୍ୟଦକ୍ଷତା ପ୍ରତି ସନ୍ଦେହ ହେଉଛି। ଗାଡିରେ ପ୍ରଭାବଶାଳୀ ବ୍ୟକ୍ତି ଥିବାରୁ ଜାଣି ଶୁଣି ଗାଡି ଛାଡି ଦେଇଥିବା ଆଲୋଚନା ହେଉଛି। ଏସମ୍ପର୍କରେ ସମ୍ବଲପୁର ଏସ୍‌ପି ବାତୁଲା ଗଙ୍ଗାଧର କହିଛନ୍ତି, ରାତିରେ ପୋଲିସ ଟିମ୍‌ର ଯାଞ୍ଚ ଚାଲିଥିଲା। ସେତିକିବେଳେ ଗାଡ଼ିକୁ ଛାଡି ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ପୋଲିସ ଯାଞ୍ଚ କରିବା ପରେ ଗଞ୍ଜେଇ ସହ ବୋମା ଜବତ ହୋଇଛି। ଏନେଇ ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି।

 

Share