Categories: ଫୁରସତ

୨୪ ଥରରେ ଏମ୍‌ଏସ୍‌ସି ପାସ୍‌

ଭୋପାଳ: ଜଣେ ମଣିଷ କିଛି ହାସଲ କରିବାକୁ ଚାହିଁଲେ, ସେଥିପାଇଁ ତାଙ୍କୁ ବହୁତ ବାଧାବିଘ୍ନ ଦେଇ ଗତି କରିବାକୁ ପଡ଼ିଥାଏ। ଏହାପରେ ସେ ସଫଳତା ପାଇପାରେ। ସେପରି ଜଣେ ବ୍ୟକ୍ତି ହେଉଛନ୍ତି ମଧ୍ୟପ୍ରଦେଶର ରାଜକରଣ ବରୁଆ। ସେ ୫୬ ବର୍ଷ ବୟସରେ ବେସରକାରୀ ଜଗୁଆଳି ଏବଂ ଚାକର କାମ କରି ମଧ୍ୟ ଏମ୍‌ଏସ୍‌ସି ପାସ୍‌ କରିଛନ୍ତି। ରାଜକରଣ ତାଙ୍କ ବୟସର ପ୍ରାୟ ଅଧା ସମୟ ଏମ୍‌ଏସ୍‌ସି ପାଇବାକୁ ନଷ୍ଟ କରି ଦେଇଛନ୍ତି। ହେଲେ ସେ କେବେ ତାଙ୍କର ଇଚ୍ଛାଶକ୍ତି ହରାଇ ନ ଥିଲେ। ତାଙ୍କ ଜୀବନରେ ଯେମିତି ବି ପରିସ୍ଥିତି ଆସିଲେ ମଧ୍ୟ ସେ ଲକ୍ଷ୍ୟଚ୍ୟୁତ ହୋଇ ନ ଥିଲେ। ସେ ନିରନ୍ତର ଭାବେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ଚେଷ୍ଟା ଚଳାଇଥିଲେ। ୨୫ ବର୍ଷରେ ରାଜକିରଣ ୨୩ ଥର ଫେଲ୍‌ ହେବା ପରେ ଏବେ ତାଙ୍କୁ ସଫଳତା ମିଳିଛି। ପରୀକ୍ଷାରୁ ରାଜକିରଣ ପ୍ରୟାସ ଏବଂ ଧୈର୍ଯ୍ୟ ୨ଟି ଜିନିଷ ଶିଖିଥିବା କହିଛନ୍ତି। ୧୯୯୬ରେ ରାଜକିରଣ ଗଣିତରେ ସ୍ନାତକ ହାସଲ ପାଇଁ ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟରେ ଏମ୍‌ଏସ୍‌ସିରେ ନାମ ଲେଖାଇଲେ। ଏହାପରେ ୧୯୯୭ରେ ସେ ପ୍ରଥମ ଥର ଏମ୍‌ଏସ୍‌ସି ପରୀକ୍ଷା ଦେଇଥିଲେ। ହେଲେ ସେଥିରେ ସେ ଫେଲ୍‌ ହୋଇଥିଲେ। ଆଗାମୀ ୧୦ ବର୍ଷରେ ସେ ୫ଟି ବିଷୟରୁ କେବଳ ୨ଟି ବିଷୟରେ ପାସ୍‌ କରିଥିଲେ। ଶେଷରେ ସେ ୨୦୨୧ରେ ଏମ୍‌ଏସ୍‌ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିଲେ। ହେଲେ ଏହି ସଫଳତା ପଛରେ ତାଙ୍କୁ ବହୁତ କଷ୍ଟ ସହିବାକୁ ପଡ଼ିଛି। ସେ ରହିବା ଏବଂ ଖାଇବା ପାଇଁ ଏକ ବଙ୍ଗଳାରେ ଚାକର କାମ କଲେ। ଏଥିରୁ ତାଙ୍କୁ ପ୍ରାୟ ୧୫୦୦ ଟଙ୍କା ମିଳୁଥିଲା। ଏଥିସହ ସେ ରାତିରେ ଜଗୁଆଳି କାମ କରୁଥିଲେ। ଯେଉଁଥିରୁ ତାଙ୍କୁ ୫ ହଜାର ଟଙ୍କା ମିଳୁଥିଲା। ଏହି ଟଙ୍କାରେ ସେ ତାଙ୍କ ଘର ଚଳାଉଥିଲେ। ତା’ ଭିତରୁ କିଛି ସଞ୍ଚୟ କରି ବହି କିଣୁଥିଲେ। ଏହି ୨୫ ବର୍ଷ ମଧ୍ୟରେ ସେ ପାଠ ପଢିବାକୁ ପ୍ରାୟ ୨ ଲକ୍ଷ ଖର୍ଚ୍ଚ କରିଛନ୍ତି।

Share