ଓଲଟିଲା ଯାତ୍ରୀବାହୀ ଅଟୋ

ଦିଗପହଣ୍ଡି,୧୯ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ଅନଙ୍ଗପୁର ଗାଁ ନିକଟ ମୁଖ୍ୟରାସ୍ତାରେ ବୁଧବାର ଅପରାହ୍ନରେ ଏକ ଯାତ୍ରୀବାହୀ ଅଟୋ (ନଂ.ଓଡି ୦୭ ଜେଡ୍‌-୬୮୭୨) ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିବାରୁ ଅଟୋ ଚାଳକଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ ଦିଗପହଣ୍ଡି ସାନବ୍ରାହ୍ମଣ ସାହିର ଦନାର୍ଦ୍ଦନ ମହାରଣା ତାଙ୍କ ସ୍ତ୍ରୀ ଶକୁନ୍ତଳା, ଜକରାପଲ୍ଲୀ ଗ୍ରାମର କୁନି ଗୌଡ଼, କେ.ନୂଆଗାଁ ଥାନା ଗୌଡ଼ ଗାଁର ଲବଙ୍ଗ ବେହେରା, ବ୍ରହ୍ମପୁର ସଦର ଥାନା କୁକୁଡ଼ାଖଣ୍ଡି ଗ୍ରାମର ରମା ଗୌଡ଼, ପାଟପୁର ଥାନା ସାହସପୁର ଗ୍ରାମର ଅଟୋ ଚାଳକ ଭଗବାନ ସେଠୀ। ଆହତମାନଙ୍କୁ ଉଦ୍ଧାର କରାଯାଇ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଦନାର୍ଦ୍ଦନ ମହାରଣା,ଶକୁନ୍ତଳା ଏବଂ କୁନି ଗୌଡ଼ଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଯାତ୍ରୀମାନେ ବ୍ରହ୍ମପୁରରୁ ଦିଗପହଣ୍ଡି ଅଭିମୁଖେ ଆସୁଥିବା ବେଳେ ଦୁର୍ଘଟଣା ଘଟିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗସ୍ତ ଅଟୋକୁ ଜବତ କରି ଏକ ମାମଲା ରୁଜୁ କରିଛି।