ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା

କୃଷ୍ଣପ୍ରସାଦ,୬ା୪(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଜହ୍ନିକୁଦାରୁ ସାତପଡ଼ାକୁ ଯାଉଥିବା ଏକ ଯାତ୍ରୀବାହୀ ଡଙ୍ଗା ବୁଧବାର ଚିଲିକାରେ ଫସିଯାଇଥିଲା। ଫଳରେ ଏଥିରେ ଥିବା ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ। ଖବରପାଇ ଅନ୍ୟ ଦୁଇଟି ଡଙ୍ଗା ପହଞ୍ଚିବା ପରେ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଥିଲା। ସୂଚନା ମୁତାବକ, ଅପରାହ୍ନ ୪ଟା ୪୫ରେ ୬୦ଜଣ ଯାତ୍ରୀ ଏବଂ ୨୦ଟି ବାଇକ୍‌ ନେଇ ଏକ ଯାତ୍ରୀବାହୀ ଡଙ୍ଗା ଜହ୍ନିକୁଦାରୁ ସାତପଡ଼ା ଅଭିମୁଖେ ବାହାରିଥିଲା। କିଛି ବାଟ ଯିବା ପରେ ଚିଲିକାରେ ଥିବା ଏକ ଢିପରେ ଲାଗିଯାଇଥିଲା। ପ୍ରାୟ ୨ଘଣ୍ଟା ପରେ ଅନ୍ୟ ଦୁଇଟି ଡଙ୍ଗା ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲା। ଏଥିସହ ଢିପରେ ଲାଗିଥିବା ଡଙ୍ଗାକୁ ଖସାଯାଇଥିଲା। ବହୁ ଦିନ ଧରି ଯାତାୟାତ କରୁଥିବା ଯାତ୍ରୀବାହୀ ଡଙ୍ଗା ଚାନେଲକୁ ଖୋଳାଯାଉ ନ ଥିବାରୁ ଏଭଳି ସ୍ଥିତି ଉପୁଜୁଛି ବୋଲି କୁହାଯାଇଛି। ଅନ୍ୟପଟେ ସାତପଡ଼ାରୁ ଜହ୍ନିକୁଦା ପର୍ଯ୍ୟନ୍ତ ଚିଲିକାରେ ଏକ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଦାବି ହୋଇଆସୁଛି।

Share