କେନ୍ଦୁଝର,୧୩।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରରୁ ତେଲକୋଇ ଦେଇ ରାଉରକେଲା ଯାଉଥିବା ମା’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ସୋମବାର ଅପରାହ୍ନରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୨୦ଜଣ ଆହତ ହୋଇଥିବା ଜଣାପଡ଼ିଛି।
ଆହତମାନଙ୍କୁ ଉଦ୍ଧାର କରି ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରେ ଗୁରୁତର ଅବସ୍ଥାରେ କତରାପାଲି ଗ୍ରାମର କଳ୍ପନା ମହାନ୍ତ ଓ ଚମ୍ପୁଆ ଅଞ୍ଚଳର ରୁନି ମହାନ୍ତଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଇଛି।
ପ୍ରକାଶ ଯେ, ବସଟି ସବୁଦିନ ଭଳି ପ୍ରାୟ ୪୦ଜଣ ଯାତ୍ରୀଙ୍କୁ ନେଇ କେନ୍ଦୁଝରରୁ ରାଉରକେଲା ଯାଉଥିଲା। ହେଲେ ତେଲକୋଇ ବାରବାଙ୍କି ଘାଟିର ଏକ ବୁଲାଣିରେ ବସ୍ଟି ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡ଼ିଥିଲା। ଫଳରେ ୨୦ଜଣ ଯାତ୍ରୀ ଆହତ ହୋଇଥିଲେ।
ଦୁର୍ଘଟଣା ପରେ ଗାଡ଼ି ଚାଳକ ଓ ଅନ୍ୟ କର୍ମଚାରୀ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ଆହତମାନଙ୍କୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ତେଲକୋଇ ଡାକ୍ତର ଖାନା ନିଆଯାଇଥିଲା। ଦୁର୍ଘଟଣା ପରେ ରାସ୍ତାରେ ଯାତାୟତ ବ୍ୟାହତ ହୋଇଥିଲା। ପୋଲିସ ବସ୍କୁ ରାସ୍ତାରୁ ହଟାଇବାକୁ ଉଦ୍ୟମ କରିବା ସହ ଘଟଣାର ତଦନ୍ତ କରୁଛି। ତେଲକୋଇ ଥାନା ଅଧିକାରୀ ଅଞ୍ଜନ କୁମାର ପାତ୍ର କହିଛନ୍ତି, ଆହତମାନେ ସୁରକ୍ଷିତ ଅଛନ୍ତି। ବସ କର୍ମଚାରୀ ଫେରାର ରହିଥିବା ବେଳେ ବସକୁ ଜବତ କରି ଘଟଣାର ତଦନ୍ତ କରୁଛୁ।