୩୫୦୦ ଫୁଟ ଉଚ୍ଚରେ ଉଡୁଥିବା ବିମାନକୁ ଗୁଳିମାଡ଼, ଜଣେ ଆହତ

ବର୍ମା,୨ା୧୦: ମ୍ୟାନମାରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ୩୫୦୦ ଫୁଟ ଉଚ୍ଚରେ ଉଡ଼ୁଥିବା ବିମାନକୁ ଶୁକ୍ରବାର କେହି ଦୁର୍ବୃତ୍ତ ଗୁଳି ଚଳାଇବାରୁ ଏଥିରେ ବସିଥିବା ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ଉକ୍ତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମ୍ୟାନମାର ନ୍ୟାଶନାଲ ଏୟାରଲାଇନ୍ସର ଏହି ବିମାନରେ ୬୩ ଜଣ ଯାତ୍ରୀ ଥିଲେ। ପୂର୍ବ ରାଜ୍ୟ କାୟାର ରାଜଧାନୀ ଲୋଇକାଭରେ ଅବତରଣ କରିଥାନ୍ତା। ଏହି ସମୟରେ ଆକ୍ରମଣ ହୋଇଥିଲା। ଏହି ଘଟଣା ସହ ଜଡ଼ିତ ଅନେକ ଫଟୋ ସାମ୍ନାକୁ ଆସିଛି। ଜଣେ ପୁରୁଷ ଯାତ୍ରୀ ତାଙ୍କ ସିଟ୍‌ରେ ରକ୍ତ ଜୁଡୁବୁଡୁ ହୋଇ ବସିଥିବା ଫଟୋରେ ଦେଖିବାକୁ ମିଳିଛି। ଗୁଳିଟି ତାଙ୍କ ବେକ ପାଖରେ ବାଜିଛି।

ମ୍ୟାନମାର ଶାସକ ସାମରିକ ପରିଷଦର ମୁଖପାତ୍ର ମେଜର ଜେନେରାଲ ଜ’ ମିନ୍‌ ଟୁନ୍‌ କହିଛନ୍ତି, ଯାତ୍ରୀବାହୀ ବିମାନ ଉପରେ ଏପରି ଆକ୍ରମଣ ଏକ ଯୁଦ୍ଧ ଅପରାଧ ଅଟେ। ଏୟାରଲାଇନ୍ସ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ଯେ, ସହରର ସମସ୍ତ ବିମାନ ଉଡ଼ାଣକୁ ବାତିଲ କରାଯାଇଛି।

Share