ନୂଆ ବାଟର ବାଟୋଇ

ଡ. ହୃଷୀକେଶ ମଲ୍ଲିକ

 

ନନ୍ଦିନୀ ଶତପଥୀ ଉତ୍ତର-ସ୍ବାଧୀନ ଭାରତବର୍ଷର ସବୁଠୁଁ ଅଧିକ ଶୌର୍ଯ୍ୟଦୀପ୍ତା ରାଜନେତ୍ରୀ, ଯାହାଙ୍କର ନେତୃତ୍ୱଦାନ କ୍ଷମତା ଛାତ୍ର-ରାଜନୀତିରୁ ସ୍ପଷ୍ଟ ହୋଇଥିଲା। ବ୍ରିଟିଶ୍‌ ସରକାରଙ୍କ ‘ୟୁନିୟନ ଜ୍ୟାକ୍‌’ ଓହ୍ଲାଇ ଦେଇ ସେ ପୋଲିସ୍‌ ନିର୍ଯାତନାର ଶିକାର ହୋଇଥିଲେ। ରେଭେନ୍ସାରେ ଏମ୍‌.ଏ. ପଢ଼ିଲାବେଳେ ଏସ୍‌ଏଫ୍‌ଆଇ ସହ ସମ୍ପୃକ୍ତି ଓ ୧୯୫୧ର ଛାତ୍ର-ଆନ୍ଦୋଳନରେ ସକ୍ରିୟ ଯୋଗଦାନ ତାଙ୍କ ବହ୍ନିମୟୀ ବ୍ୟକ୍ତିତ୍ୱର ଇନ୍ମେଷ-ପର୍ବ। କଲେଜ ଛାତ୍ରୀଛାତ୍ରଙ୍କ ଦେୟ ବୃଦ୍ଧିର ପ୍ରତିବାଦ ଥିଲା ଏହି ଆନ୍ଦୋଳନର ଉଦ୍ଦେଶ୍ୟ, ଯାହା ପରେ ସର୍ବ ଭାରତୀୟ ଛାତ୍ର-ଆନ୍ଦୋଳନରେ ପରିଣତ ହୋଇଥିଲା।
୧୯୬୨ରେ ସେ କଂଗ୍ରେସ ପକ୍ଷରୁ ରାଜ୍ୟ ସଭାର ସଦସ୍ୟା ଭାବେ ମନୋନୀତ ହୋଇଥିଲେ। ୧୯୬୬ରେ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବା ପରେ ମନ୍ତ୍ରୀ ଭାବେ ‘ସୂଚନା ଓ ପ୍ରସାରଣ ବିଭାଗ’ ଦାୟିତ୍ୱ ତୁଲାଇଥିଲେ। ବାଂଲାଦେଶ ଯୁଦ୍ଧ(୧୯୭୧) ସମୟରେ ଯେଉଁମାନେ ଆକାଶବାଣୀରୁ ଯୁଦ୍ଧ ଖବର ଶୁଣିଥିବେ (ଯତୀନ ଦାସ ଥିଲେ ଓଡ଼ିଆରେ ବାର୍ତ୍ତା ପାଠକ), ସେହି ପାଠ ପଛରେ ଥିବା ଉଦ୍ଦାମତାର ଅନୁପ୍ରେରଣା ଥିଲେ ନନ୍ଦିନୀ ଦେବୀ। ୧୯୭୨ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ସେ ଦାୟିତ୍ୱ ନେଲେ (୧୪ ଜୁନ୍‌ ୧୯୭୨- ୩ ମାର୍ଚ୍ଚ ୧୯୭୩)। ପୁଣି ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ ୧୯୭୩ (୬ ମାର୍ଚ୍ଚ ୧୯୭୩-୧୬ ଡିସେମ୍ବର ୧୯୭୬)ରେ। ତାଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ ଓଡ଼ିଶାର ଜନସାଧାରଣ ପ୍ରଥମଥର ପାଇଁ ବୁଝିଲେ ଖୁଣ୍ଟ ଟାଣହେଲେ କିପରି ଶାସନ ହୁଏ ଶୃଙ୍ଖଳିତ। ଗ୍ରାମୀଣ ବିକାଶ, ବିଦ୍ୟୁତ୍‌ ଶକ୍ତିରେ ସ୍ବାବଲମ୍ବନ, ଜଳସେଚନ, ଭୂମିହୀନଙ୍କୁ ଭୂମିଦାନ, ଶିକ୍ଷାର ପ୍ରଗତି ଆଦି ରାଜ୍ୟର ସାମୂହିକ ଉନ୍ନତି ନନ୍ଦିନୀ ଦେବୀଙ୍କ ପ୍ରତିବଦ୍ଧ ଶାସନ ବ୍ୟବସ୍ଥାର ଫଳଶ୍ରୁତି। ମାଷ୍ଟରକ୍ୟାଣ୍ଟିନ୍‌ ଛକର ‘କଂଗ୍ରେସ ଭବନ’, ୟୁନିଟ୍‌-୩ର ‘ମାତୃଭବନ’, ‘ସୂଚନା ଭବନ’ (ଜୟଦେବ ଭବନ) ଓ କଟକର ‘ଦୂରଦର୍ଶନ କେନ୍ଦ୍ର’ ତାଙ୍କରି ସମୟର।
ଆହ୍ଲାବାଦ ହାଇକୋର୍ଟ ଇନ୍ଦିରା ଗାନ୍ଧୀଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲାପରେ ୨୫ଜୁନ୍‌ ୧୯୭୫ରେ ଜାରି ହେଲା ଇମର୍ଜେନ୍ସି, ୨୧ ମାର୍ଚ୍ଚ ୧୯୭୭ରେ ସରିଲା ତା’ର ଅବଧି। ଜରୁରିକାଳୀନ ସ୍ଥିତିରେ ଦେଶର ବିଭିନ୍ନ ରାଜ୍ୟରେ ମାତ୍ରାଧିକ ଶାସନର ଯେଉଁ ତଦନ୍ତ ହେଲା, ସେଥିରୁ ଓଡ଼ିଶାରେ ତାହା ନଗଣ୍ୟ ବୋଲି ଜଣାଗଲା। ଇନ୍ଦିରାଙ୍କ ଗର୍ହିତ ନିର୍ଦ୍ଦେଶକୁ ଟାଳିଦେବାର ଦୁଃସାହସ ତମାମ ଦେଶରେ କେବଳ ଜଣଙ୍କର ଥିଲା, ସେ ହେଉଛନ୍ତି ନନ୍ଦିନୀ ଶତପଥୀ। ସେ ହିଁ ଏକମାତ୍ର ନେତ୍ରୀ, ଯିଏ ଯେତେବେଳେ ଯେଉଁ ଦଳରୁ ନିର୍ବାଚନ ଲଢ଼ିଛନ୍ତି, (ଏପରିିକି ସ୍ବାଧୀନ ଭାବେ ଲଢ଼ି ମଧ୍ୟ) କେବେ ବି ହାରି ନାହାନ୍ତି। ସେ କେବଳ ଭାରତର ଦ୍ୱିତୀୟ ଓ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନ ଥିଲେ, ଥିଲେ ଓଡ଼ିଶାର ପ୍ରଥମ ମହିଳା ରାଜ୍ୟସଭା ସଦସ୍ୟା।

ନନ୍ଦିନୀ ଯଦିଓ ଥିଲେ ଆଇନର ଶାସକ, ହେଲେ ଆଇନ ଯେତେବେଳେ ଆକ୍ରୋଶ ପାଲଟି ରାଜନୈତିକ ପ୍ରତିପକ୍ଷଙ୍କ ଗଳା ଟିପିବାକୁ ଅପଉଦ୍ୟମ କରୁଥିଲା, ତା’ର ସର୍ବ ପ୍ରଥମ ପ୍ରତିବାଦୀ ବି ଥିଲେ ସେ। ୧୯୭୭ରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆଣି ଦୁର୍ନୀତି ନିବାରଣ ବିଭାଗର ଜଣେ ଡିଏସ୍‌ପି ଯେତେବେଳେ ତାଙ୍କୁ ଦୀର୍ଘତମ ଏକ ପ୍ରଶ୍ନାବଳୀର ଉତ୍ତର ଦେବାକୁ ବାଧ୍ୟ କଲେ, ନନ୍ଦିନୀ ଦେବୀ କହିଲେ- ”ମୁଁ ଉତ୍ତର ଦେବି ନାହିଁ। ଭାରତୀୟ ସମ୍ବିଧାନର ଧାରା-୨୦, ଉପଧାରା-୩ ମୋତେ ଏହି ସୁରକ୍ଷା ଦେଇଛି।“ ହାଇକୋର୍ଟରେ ଆବେଦନ ଗ୍ରହଣ ନ ହେବାରୁ ସେ ସୁପ୍ରିମ କୋର୍ଟ ଗଲେ ଓ ସୁପ୍ରିମ କୋର୍ଟ ତାଙ୍କ ଆବେଦନ ଗ୍ରହଣ କରି ୧୯୭୮ରେ ଅଭିଯୋଗ ଖାରଜ ପାଇଁ ନିର୍ଦ୍ଦେଶ ଦେଲେ। ସମ୍ବିଧାନର ଧାରା-୨୦(୩) କ’ଣ, ତାହା ହୁଏତ ଅନେକଙ୍କର ସ୍ମରଣ ନ ଥିବ। ଏଥିରେ ବ୍ୟବସ୍ଥା ଅଛି- ”କୌଣସି ଅପରାଧରେ ଅଭିଯୁକ୍ତ ବ୍ୟକ୍ତିଙ୍କୁ ନିଜ ବିପକ୍ଷରେ ସାକ୍ଷୀ ହେବାକୁ ବାଧ୍ୟ କରାଯାଇ ପାରିବ ନାହିଁ।“ ଅନ୍ୟ ଭାବରେ କହିଲେ ନାଗରିକଙ୍କ ‘ଚୁପ୍‌ ରହିବାର ଅଧିକାର’, ଯାହାର ଉପଯୋଗ କରି ନନ୍ଦିନୀ ଦେବୀ ନିଜ ସାମ୍ବିଧାନିକ ଓ ଆଇନଗତ ବିଚକ୍ଷଣତାର ପରିଚୟ ଦେବା ସହିତ ତାଙ୍କ ବିରୋଧରେ ରାଜନୈତିକ ପ୍ରତିପକ୍ଷଙ୍କ ଦ୍ୱାରା ଅଣାଯାଇଥିବା ପ୍ରାୟୋଜିତ ଦୁର୍ନୀତି ଅଭିଯୋଗକୁ ଅମୂଳକ ପ୍ରମାଣ କରିଦେଲେ। ଉଦ୍ଦେଶ୍ୟପ୍ରଣୋଦିତ ଭାବେ ଯେତେ ମକଦ୍ଦମା ତାଙ୍କ ନାଁରେ ହୋଇଥିଲା, ସବୁଥିରେ ସେ ଜିଣିଥିଲେ। ରାଜନୀତି ଓ ସାହିତ୍ୟରେ ସେ ଥିଲେ ନୂଆ ବାଟର ବାଟୋଇ।
ଭାଙ୍ଗିଯାଇଛନ୍ତି ସେ ଅନେକ ଥର, ନିଜର ରାଜନୈତିକ ଦୃଢ଼ତା ଓ ନିଃସର୍ତ୍ତ ମାନବୀୟ ପ୍ରତିବଦ୍ଧତା ପାଇଁ; କିନ୍ତୁ କେବେ ବି ତଳକୁ ବେକ ଝୁଙ୍କେଇ ନାହାନ୍ତି। ନିଜର ବିଶ୍ୱାସକୁ ନିୟତ ସେ ସାହିତ୍ୟରେ ରୂପ ଦେଇଛନ୍ତି। ଓଡ଼ିଶା ଇତିହାସର ବହୁ ଲୌକିକ ଓ ଅଲୌକିକ ଘଟଣାର ସେ ମୂକସାକ୍ଷୀ। ପୁରୀ ରଥଯାତ୍ରାକୁ ନେଇ ତାଙ୍କ ଜୀବନର ଏକ ବିସ୍ମୟୋଦ୍ଦୀପକ ଅନୁଭୂତିର ଉଲ୍ଲେଖ ଏଠାରେ କରାଯାଇପାରେ, ୧୯୭୨ର ରଥଯାତ୍ରା। ଯେତେ ହାରି ଗୁହାରି କଲେ ବି ଶ୍ରୀଜଗନ୍ନାଥ ରଥକୁ ଉଠୁ ନ ଥାନ୍ତି। ପଣ୍ଡା ପଢ଼ିହାରୀ, ଗଜପତି ମହାରାଜା ଓ ଖୋଦ୍‌ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଅନୁନୟ ବିନୟ ଅସାର ହେଉଥାଏ। କିଛି ସମୟ ଗତ ହେବା ପରେ ମହାପ୍ରଭୁ ସ୍ବତଃ ରଥାରୂଢ଼ ହେଲେ । କାରଣ ଅନୁସନ୍ଧାନରୁ ବଡ଼ପଣ୍ଡା ଜଣାଇଲେ ଯେ, ପ୍ରଭୁ ଏଠି ନ ଥିଲେ। ଶାବର ଶ୍ରୀକ୍ଷେତ୍ର ଯାଇଥିଲେ, ସେଠାର ପ୍ରଥମ ରଥଯାତ୍ରାରେ ଭକ୍ତମାନଙ୍କୁ ଦର୍ଶନ ଦେବାକୁ। ଏବେ ଏଠାକୁ ଫେରି ରଥକୁ ଉଠିଲେ। ଭକ୍ତଙ୍କ ପାଇଁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଅଲୌକିକ ଲୀଳା ମୁଖ୍ୟମନ୍ତ୍ରୀ ଓ ଗଜପତି ମହାରାଜାଙ୍କ ସମକ୍ଷରେ ଅଭିନୀତ ହେଲା। ଅହୋ ଭାଗ୍ୟ ! ଜୁନ୍‌ ୯, ୧୯୩୧ରେ ଜନ୍ମ ହୋଇ ୪ ଅଗଷ୍ଟ ୨୦୦୬ରେ ବାହୁଡ଼ିଗଲେ ନନ୍ଦିନୀ ଦେବୀ। ଆଜି ତାଙ୍କ ପୁଣ୍ୟତିଥି।
ଏହି ଅବକାଶରେ ଗୋଟିଏ କଥା କହିରଖିବା କର୍ତ୍ତବ୍ୟ ହେବ ଯେ, ତାଙ୍କର ୨ଟି ଗ୍ରନ୍ଥ ଆଜି ଦୁଷ୍ପ୍ରାପ୍ୟ। ସେ ଦୁଇଟି ହେଲା: ”Bunch of thoughts: collected speeches of Smt. Nandini Satpathy“ ଓ ”Song of the evening and other Stories.“ କାହାରି ପାଖରେ ଥିଲେ ଜଣାଇବାକୁ ପାଠିକାପାଠକଙ୍କୁ ନିବେଦନ । ନନ୍ଦିନୀ ଦେବୀଙ୍କୁ ଶ୍ରଦ୍ଧାନତ ପ୍ରଣାମ !
ମୋ:୯୮୫୩୨୮୭୭୫୫