ବିପଦସଙ୍କୁଳ ଅବସ୍ଥାରେ ଯାତ୍ରୀ ବିଶ୍ରାମାଗାର

ପାରଳାଖେମୁଣ୍ଡି,୧୮।୧୦ (ଗିରିଧାରୀ ପରିଛା): ଗଜପତି ଜିଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ଭ୍ରମରପୁର ଗ୍ରାମର ଯାତ୍ରୀ ବିଶ୍ରାମାଗାର ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏହାର କାନ୍ଥ ଫାଟିବା ସହ ପଲସ୍ତରା ଖସି ସେଥିରୁ ପଥର ଖସିବାରେ ଲାଗିଛି। ସାମାନ୍ୟ ବର୍ଷା ହେଲେ ଛାତରୁ ପାଣି ଝରୁଛି। ସିମେଣ୍ଟ ଖଣ୍ଡ ପଡ଼ି ରଡ଼ ଦେଖାଯାଉଛି। ବିପଦସଙ୍କୁଳ ଅବସ୍ଥାରେ ରହିଥିବାରୁ କିଛି ସମୟ ଆଶ୍ରୟ ନେବାକୁ ଭୟ କରୁଛନ୍ତି ଯାତ୍ରୀ। ଏହା କେତେବେଳେ ଭୁଶୁଡ଼ି ଲୋକଙ୍କ ଜୀବନ ହାନୀ ହେବାର ଆଶଙ୍କା ରହିଥିବାରୁ ଏ ବିଷୟ ନେଇ ପଞ୍ଚାୟତ ଏବଂ ବ୍ଲକ ପ୍ରଶାସନକୁ ବାରମ୍ବାର ଅଭିଯୋଗ ହୋଇଛି। ଏହି ରାସ୍ତା ଦେଇ ବିଭାଗୀୟ ଅଧିକାରୀ ପ୍ରତିଦିନ ଯିବା ଆସିବା କରୁଥିଲେ ମଧ୍ୟ କାହାର ଦୃଷ୍ଟି ଗୋଚର ହେଉନଥିବା କହିଛନ୍ତି ଗ୍ରାମବାସୀ। ଏ ବିଷୟ ନେଇ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଟି.ଗୋପାଳ ରାଓ କହିଛନ୍ତି ଯେ, ଏହାର ପ୍ରପୋଜାଲ ଦିଆହୋଇଛି ମଞ୍ଜୁରୀ ମିଳିଲେ ଖୁବ ଶୀଘ୍ର କାର୍ଯ୍ୟ କରାଯିବ।