Categories: ଜାତୀୟ

କୋଇଲା ପରିବହନ ଲାଗି ଯାତ୍ରୀବାହୀ ଟ୍ରେନ୍‌ ବାତିଲ

ନୂଆଦିଲ୍ଲୀ,୨୯।୪: ତାପଜ ବିଦ୍ୟୁତ୍‌ କେନ୍ଦ୍ରଗୁଡ଼ିକୁ ତୁରନ୍ତ କିଭଳି କୋଇଲା ପରିବହନ ହୋଇପାରିବ ସେନେଇ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ତେଣୁ ସରକାର କିଛି ଯାତ୍ରୀବାହୀ ଟ୍ରେନକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଦେଶରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ତାପଜ ବିଦ୍ୟୁତ୍‌ କେନ୍ଦ୍ରଗଡ଼ିକରେ କୋଇଲାର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏପରିକି ଦେଶର ୭୦% ବିଦ୍ୟୁତ୍‌ ତାପଜ କେନ୍ଦ୍ରରୁ ସୃଷ୍ଟି ହୋଇଥାଏ। ବର୍ତ୍ତମାନ କୋଇଲା ସଙ୍କଟ ଯୋଗୁ ତାପଜ ବିଦ୍ୟୁତ୍‌ କେନ୍ଦ୍ରରୁ ଆବଶ୍ୟକ ପରିମାଣର ବିଦ୍ୟୁତ୍‌ ଉତ୍ପାଦନ ହୋଇପାରୁ ନାହିଁ। ଫଳରେ ଦେଶର ବିଭିନ୍ନ ସ୍ଥାନରେ ଅଘୋଷିତ ବିଦ୍ୟୁତ୍‌ କାଟ ହେଉଥିବା ବେଳେ କାରଖାନାରେ ଉତ୍ପାଦନ ହ୍ରାସ ପାଉଛି।
ରେଲଓ୍ବେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଗୌରବକୃଷ୍ଣ ବଂଶଲ କହିଛନ୍ତି, ସାମୟିକ ଭାବେ କିଛି ଯାତ୍ରୀବାହୀ ଟ୍ରେନ୍‌କୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ଫଳରେ ପାୱାର ପ୍ଲାଣ୍ଟକୁ ଯଥାସମ୍ଭବ କମ୍‌ ସମୟ ମଧ୍ୟରେ କୋଇଲା ପଠାଇବାକୁ ରେଳ ବିଭାଗ ଉଦ୍ୟମ କରୁଛି। ବିଦ୍ୟୁତ୍‌ ଚାହିଦା ବୃଦ୍ଧି ପାଇବାରୁ ଚଳିତ ମାସ ପ୍ରାରମ୍ଭରୁ ପ୍ଲାଣ୍ଟ ରିଜର୍ଭରୁ ୧୭% କୋଇଲା ହ୍ରାସ ପାଇଥିବା ସୂଚନା ମିଳିଛି।

Share