ବବରଗଡ଼ ଅଫିସ୍,୨୧।୨: ଭୁବନେଶ୍ୱରରୁ ବରଗଡ଼ ଆସୁଥିବା ବେଳେ ଶନିବାର ଆୟୁଷ୍ମାନ ପ୍ରଧାନ ନାମକ ଜଣେ ରେଳଯାତ୍ରୀ ପୁରୀ-ଦୁର୍ଗ ଏକ୍ସପ୍ରେସରେ ଏକ ବ୍ୟାଗ ଛାଡ଼ି ଦେଇଥିଲେ। ତେବେ ଆର୍ପିଏଫ କର୍ମଚାରୀଙ୍କ ତତ୍ପରତା ଯୋଗୁ ରେଳଯାତ୍ରୀ ତାଙ୍କ ହଜିଲା ବ୍ୟାଗକୁ ଫେରି ପାଇଛନ୍ତି । ବ୍ୟାଗରେ ନଗଦ ୩୪୧୦ଟଙ୍କା, ପାୱାରବେଙ୍କ୍, ପେନଡ୍ରାଇଭ, ଚଷମା, ହାତଘଣ୍ଟା ଆଦି ରହିଥିଲା । ସୂଚନା ଅନୁଯାୟୀ, ଆୟୁଷ୍ମାନ ପୁରୀ-ଦୁର୍ଗ ଏକ୍ସପ୍ରେସରେ ଭୁବନେଶ୍ୱରରୁ ଚଢ଼ି ବରଗଡ଼ ରୋଡ୍ ରେଳଷ୍ଟେଶନରେ ଓହ୍ଲାଇଥିଲେ। ଟ୍ରେନ ଛାଡ଼ିବା ପରେ ସେ ବ୍ୟାଗ ଟ୍ରେନ ଭିତରେ ଛାଡ଼ି ଦେଇଥିବା ଜାଣିବାକୁ ପାଇଥିଲେ। ତେବେ ବ୍ୟାଗ ସମ୍ପର୍କରେ ସମ୍ବଲପୁର ଆର୍ପିଏଫ ସିକ୍ୟୁରିଟି କଣ୍ଟ୍ରୋଲଠାରୁ ସୂଚନା ପାଇବା ପରେ ବରଗଡ଼ ଆରପିଏଫ ଏସକର୍ଟିଂ ପାର୍ଟିର ଏଏସ୍ଆଇ ଜି. ଗଡ଼ତିଆ ଏବଂ ଏସ୍. ତ୍ରିପାଠୀ ସମ୍ପୃକ୍ତ ରେଳଯାତ୍ରୀଙ୍କୁ ଯୋଗାଯୋଗ କରିଥିଲେ। ଏହା ସହିତ ବ୍ୟାଗଟି ଉଦ୍ଧାର ହୋଇଥିବା ସେମାନେ ସୂଚନା ଦେଇଥିଲେ। ପରେ ସେହି ବ୍ୟାଗକୁ ବଲାଙ୍ଗୀର ଷ୍ଟେଶନରେ ତାଙ୍କ ଜଣେ ସମ୍ପର୍କୀୟ ସରୋଜ ବିଶ୍ୱାଳଙ୍କୁ ଦେବାକୁ ଆୟୁଷ୍ମାନ ଆର୍ପିଏଫ ଏସ୍କର୍ଟିଂ ପାର୍ଟିର କର୍ମଚାରୀଙ୍କୁ କହିଥିଲେ। ଆବଶ୍ୟକ ପରିଚୟପତ୍ର ପାଇବା ପରେ ଆର୍ପିଏଫ କର୍ମଚାରୀ ସରୋଜଙ୍କୁ ବଲାଙ୍ଗୀର ଷ୍ଟେଶନରେ ବ୍ୟାଗ ପ୍ରଦାନ କରିଥିଲେ । ଆର୍ପିଏଫ୍ କର୍ମଚାରୀଙ୍କ ଏଭଳି ବଦାନ୍ୟତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।