ଲକ୍ଷ୍ନୌ,୨୧।୮: ଉତ୍ତରପ୍ରଦେଶର ଆଗ୍ରାଠାରେ ଟ୍ରେନରେ ଯାତ୍ରା କରୁଥିବା କିଛି ଯାତ୍ରୀଙ୍କ ସ୍ବାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଥିଲା। ଏଥିରେ ଦୁଇ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ମିଳିଥିବା ସୂଚନା ଅନୁଯାୟୀ, କୋଟା-ପାଟନା ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଏକ ୯୦ ଜଣିଆ ଟିମ୍ର କିଛି ଲୋକ ହଠାତ୍ ଅସୁସ୍ଥ ହୋଇପଡିଥିଲେ। ଏହି ସମସ୍ତ ଯାତ୍ରୀ ଛତିଶଗଡର ରାଜଧାନୀ ରାୟପୁରର ବାସିନ୍ଦା। ସେମାନେ ତୀର୍ଥଯାତ୍ରାରେ ଯାଇଥିଲେ ଏବଂ ତୀର୍ଥଯାତ୍ରୀ ଟିମ୍ ବାରାଣସୀ ପରିଦର୍ଶନ କରିବା ପରେ ମଥୁରା ଏବଂ ବୃନ୍ଦାବନ ପରିଦର୍ଶନ କରିବାକୁ ଯାଉଥିଲେ। ଏହି ସମୟରେ ଟ୍ରେନରେ ଯାତ୍ରା କରୁଥିବା ୬ ଜଣ ଯାତ୍ରୀ ଅସୁସ୍ଥ ହୋଇପଡିଥିଲେ।
ଏହି ବିଷୟରେ ସୂଚନା ପାଇବା ପରେ ଯାତ୍ରୀମାନଙ୍କୁ ଆଗ୍ରା କ୍ୟାଣ୍ଟ ରେଳ ଷ୍ଟେସନରେ ପକାଇ ଚିକିତ୍ସା ପାଇଁ ରେଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏଥି ସହ ଜଣେ ଯାତ୍ରୀଙ୍କୁ ଏସଏନ ମେଡିକାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଯାତ୍ରା ସମୟରେ ଚଳନ୍ତା ଟ୍ରେନରେ ଜଣେ ମହିଳା ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା। ଏଥିସହିତ ଆଗ୍ରା କ୍ୟାଣ୍ଟର ଡାକ୍ତରୀ ଦଳ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ମୃତ ଘୋଷଣା କରିଥିଲେ।