୪୫୫ ପ୍ରଶିକ୍ଷାର୍ଥୀ ନାବିକଙ୍କ ପାସିଂ ଆଉଟ ପରେଡ୍‌

ବାଲୁଗାଁ,୬।୧(ଡି.ଏନ୍‌.ଏ.): ଭାରତୀୟ ନୌସେନା ବିଭାଗ ଚିଲିକା ଶାଖା ତାଲିମ କେନ୍ଦ୍ରରେ ମଙ୍ଗଳବାର ୪୫୫ଜଣ ପ୍ରଶିକ୍ଷାର୍ଥୀ ନାବିକଙ୍କ ପାସିଂ ଆଉଟ୍‌ ପରେଡ୍‌ ଅନୁଷ୍ଠିତ ହୋଇଯାଇଛି। ଏହି ତାଲିମ କେନ୍ଦ୍ରଟି ନାବିକଙ୍କ ନିମନ୍ତେ ପ୍ରାରମ୍ଭିକ ପ୍ରଶିକ୍ଷଣ କେନ୍ଦ୍ର ଅଟେ। ଏହି ପରେଡ୍‌କୁ ଭାଇସ୍‌ ଆଡ୍‌ମିରାଲ୍‌ ତଥା ପୂର୍ବ ନୌସେନା କମାଣ୍ଡାଣ୍ଟ ମୁଖ୍ୟ ଏ.କେ.ଚାୱାଲା ନିରୀକ୍ଷଣ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ। ଆଗାମୀ ଦିନରେ ନିଜର ପେସାଗତ ଜ୍ଞାନକୁ ଦୃଢ଼କରି ଜଣେ ଦକ୍ଷ କର୍ମକୁଶଳୀ ରୂପେ ଦେଶ ରକ୍ଷା ନିମନ୍ତେ ନିୟୋଜିତ ହେବାପାଇଁ ପ୍ରଶିକ୍ଷାର୍ଥୀଙ୍କୁ ଆହ୍ବାନ ଦେଇଥିଲେ। ଏଥିସହ ପ୍ରଶିକ୍ଷାର୍ଥୀମାନେ ନିଜ ବୃତ୍ତିରେ ସର୍ବୋଚ୍ଚ ଡିଗ୍ରୀ ହାସଲ କରିବା ସହ ଜ୍ଞାନ ଓ ଦକ୍ଷତା ବିକାଶ ପାଇଁ ଉତ୍ସାହିତ କରିଥିଲେ। ଏହି ଅବସରରେ ମେଧାବୀ ପ୍ରଶିକ୍ଷାର୍ଥୀ ଅଲବିନ କେ.ଆର(ଏମ୍‌ଆର) ଏବଂ ତଟରକ୍ଷକ ଅକ୍ଷୟ କୁମାରଙ୍କୁ ସର୍ବୋତ୍ତମ ପ୍ରଶିକ୍ଷାର୍ଥୀ ରୂପେ ବିବେଚିତ କରାଯାଇ ଟ୍ରଫି ସହ ମେଡାଲ୍‌ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୋଭିଡ୍‌ ନିୟମ ଅନୁଯାୟୀ ପାଳନ କରାଯାଇଥିଲା। ଉତ୍ସବରେ ସ୍ବପ୍ନା ଚାୱାଲା, କମୋଡର୍‌ ଋତୁରାଜ ସାହୁ ଏବଂ ସଙ୍ଗୀତା ସାହୁ ଉପସ୍ଥିତ ରହି ପ୍ରଶିକ୍ଷାର୍ଥୀଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ଦ୍ୱିଭାଷୀ ପତ୍ରିକା ”ଅଙ୍କୁର“ ଉନ୍ମୋଚନ କରାଯାଇଥିଲା।

Share