ପଢ଼ିବା ପାଇଁ ଏମିତି ପଦକ୍ଷେପ ନେଲେ ଏହି ଗରିବ ଛାତ୍ରୀ, ଜାଣିଲେ କରିବେ ପ୍ରଶଂସା

ମୁମ୍ବାଇ,୨୨ା୮: ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲାରେ ରହୁଥିବା ଜଣେ ଛାତ୍ରୀ ଗାଁରେ ଇଣ୍ଟରନେଟ୍‌ ସୁବିଧା ନ ଥିବାରୁ ଉତ୍ସର୍ଗୀକୃତ ମନୋଭାବ ଏବଂ ପରିଶ୍ରମ ଯୋଗୁ ସେ ପାହାଡ଼ିଆ ଅଞ୍ଚଳରେ ଏକ ଝୁମ୍ପୁଡ଼ି ତିଆରି କରିଛନ୍ତି।

କୋକଣ ଅଞ୍ଚଳ ପାହାଡ଼ ଏବଂ ଖାଲଖମାରେ ପରିପୂର୍ଣ୍ଣ। ଅନେକ ସ୍ଥାନରେ କୌଣସି ନେଟ୍‌ଓ୍ବାର୍କ ଆସେ ନାହିଁ। ସିନ୍ଧୁଦୁର୍ଗ ଜିଲା କନକବଳୀ ତହସିଲର ଅପହଞ୍ଚ ଅଞ୍ଚଳରେ ରହୁଥିବା ସ୍ବପ୍ନାଲି ସୂତାର ଲକ୍‌ଡାଉନରେ ଅନ୍‌ଲାଇନ୍‌ ପାଠପଢ଼ା ଆରମ୍ଭ କରିଥିଲେ। ମାତ୍ର ଗାଁରେ ନେଟ୍‌ଓ୍ବାର୍କ ଆସିଲା ନାହିଁ।

ପିଲାଦିନରୁ ସ୍ବପାଲିଙ୍କ ପାଠପଢ଼ାରେ ବେଶ୍‌ ଆଗ୍ରହ। ସେ ଦ୍ୱାଦଶ ଶ୍ରେଣୀ ବିଜ୍ଞାନରେ ୮୮ ପ୍ରତିଶତ ନମ୍ବର ରଖି ମୁମ୍ବାଇର ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ନାମ ଲେଖାଇଛନ୍ତି। ସ୍ବପ୍ନାଲି ତାଙ୍କ ଭାଇମାନଙ୍କ ସହିତ ଥାଣେରେ ରୁହନ୍ତି। ଲକ୍‌ଡାଉନ୍‌ ଯୋଗୁ ସେ ଗାଁକୁ ଚାଲିଆସିଥିଲେ। ଗାଁରେ ନେଟ୍‌ଓ୍ବାର୍କ ନ ଆସିବାରୁ ସ୍ବପ୍ନାଲି ଏକ ନୂଆ ଉପାୟ ପାଞ୍ଚିଥିଲେ। ପାହାଡ଼ିଆ ଅଞ୍ଚଳରେ ଏକ ଝୁମ୍ପୁଡ଼ି ତିଆରି କରିଥିଲେ ଯେଉଁଠି ନେଟଓ୍ବାର୍କ ଆସିଥାଏ। ଏହି ସ୍ଥାନରୁ ସ୍ବପ୍ନାଲିଙ୍କ ଘର ୨ କିଲୋମିଟର। ତେଣୁ ତାଙ୍କ ମା’ ବାପା ଚାହୁଁ ନ ଥିଲେ ସେ ସେଠାରେ ଯାଇ ପଢନ୍ତୁ ବୋଲି। ମାତ୍ର ସ୍ବପ୍ନାଲି ତାଙ୍କ ମା’ ବାପାଙ୍କୁ ବୁଝାଇ ଏକ ଝୁମ୍ପୁଡ଼ି ତିଆରି କରି ସେଠାରେ ରହି ପଢୁଛନ୍ତି।
ସ୍ବପ୍ନାଲି ଭବିଷ୍ୟତରେ ଜଣେ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି। ଘରର ଆର୍ଥିକ ଅବସ୍ଥା ଭଲ ନୁହେଁ। ଏକ ଗରିବ କୃଷକ ପରିବାରରେ ତାଙ୍କର ଜନ୍ମ। ସ୍ବପ୍ନାଲିଙ୍କ ସ୍ବପ୍ନ ତଥା ଉତ୍ସାହ ଦେଖି ତାଙ୍କୁ ଆଖପାଖ ଅଞ୍ଚଳରେ ବେଶ୍‌ ପ୍ରଶଂସା କରାଯାଉଛି।

Share