ଛାତ୍ରାବସ୍ଥାରୁ ମୋର ସାମ୍ବାଦିକତା ପ୍ରତି ଆବେଗ ସୃଷ୍ଟି ହୋଇଥିଲା। ୧୯୭୧ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କଲି। ସେହି ବର୍ଷ ପୁନେ ଯାଇ ବର୍ଷିକିଆ ସାମ୍ବାଦିକତା ପାଠ୍ୟକ୍ରମରେ ନାମ ଲେଖାଇଲି। ୧୯୭୨ରେ ପାଠ୍ୟକ୍ରମ ଶେଷ ହେଲା, ଆଉ ସେହି ବର୍ଷ ଆରମ୍ଭ ହୋଇଥିଲା ମୋର ସାମ୍ବାଦିକତା ଜୀବନ। ସେ ସମୟରେ ଓଡ଼ିଶାରେ ପ୍ରମୁଖ ଭାବେ ସମାଜ, ପ୍ରଜାତନ୍ତ୍ର ଓ ମାତୃଭୂମି ଖବରକାଗଜ ପ୍ରକାଶ ପାଉଥିଲା।
ପ୍ରଥମେ ପ୍ରଜାତନ୍ତ୍ର ଏବଂ ପରବର୍ତ୍ତୀ ସମୟରେ ସମାଜ ଖବର କାଗଜର ଭୁବନେଶ୍ୱର ମୁଖ୍ୟ ପ୍ରତିନିଧି ଭାବେ କାର୍ଯ୍ୟ କରିଛି। ଆଜିକାଲି ଭଳି ସେତେବେଳେ ବ୍ୟବସ୍ଥା ନ ଥିଲା। କେବଳ ସାନ୍ଧ୍ୟ ସଂସ୍କରଣ ପ୍ରକାଶ ପାଉଥିଲା। ସାଇକେଲ ଧରି ବିଭିନ୍ନ ସ୍ଥାନରୁ ଖବର ସଂଗ୍ରହ କରି ଦିନବେଳା କିଏ କଟକ ଯାଉଥିଲେ ତାଙ୍କ ହାତରେ ଖବର ପଠାଇବା ସହ ଅଧିକାଂଶ ଖବର ଟେଲିଫୋନରେ ଡାକିବାକୁ ପଡ଼ୁଥିଲା। ଆଉ ପ୍ରଥମେ ରୋଟେରି ମେଶିନ ତା’ପରେ ମନୋଗ୍ରାମ ମେଶିନରେ କାଗଜ ଛପା ହେଉଥିଲା।
୧୯୯୦ ମସିହା ପୂର୍ବରୁ ଫାକ୍ସ ଆସିଲା, ତା’ପରେ ଅତ୍ୟାଧୁନିକ ବ୍ୟବସ୍ଥାମାନ ଗଣମାଧ୍ୟମ ସହ ଯୋଡ଼ିହେଲା। ପୁଣି ପ୍ରଭାତ ସଂସ୍କରଣ ପ୍ରକାଶିତ ହେଲା। ତେବେ ଆମ ବେଳେ ଭୁବନେଶ୍ୱରରେ ହାତ ଗଣତି କେତେଜଣ ରାଜ୍ୟସ୍ତରୀୟ ସାମ୍ବାଦିକ ଥିଲେ। ପୁଣି ସେମାନଙ୍କ ମଧ୍ୟରୁ ଅଧିକାଂଶ ଅଣଓଡ଼ିଆ। ୧୯୮୦ ମସିହାରେ ମୋତେ ରାଜ୍ୟସ୍ତରୀୟ ସାମ୍ବାଦିକ ଭାବେ ସ୍ବୀକୃତି ମିଳିଥିଲା। ୧୯୭୪ରେ ‘ଧରିତ୍ରୀ’ ଯେତେବେଳେ ପ୍ରକାଶ ପାଇଲା, ତାହା ମଧ୍ୟ ଚହଳ ପକାଇଥିଲା। ଏବେ ଓଡ଼ିଆ ଖବର କାଗଜ ସଂଖ୍ୟା ଢେର ବଢିଯାଇଛି ଆଉ ତା’ ସହିତ ବୈଦ୍ୟୁତିକ ଗଣମାଧ୍ୟମ ବି ଓଡ଼ିଆ ସାମ୍ବାଦିକତାକୁ ଆଗକୁ ନେଇଚାଲିଛନ୍ତି।