Categories: ବାଣିଜ୍ୟ

ଅଟୋ ରିଟେଲ ସେଲିଂରେ ଉତ୍ସାହ

ନୂଆଦିଲ୍ଲୀ,୧୦।୧୦ (ଅଭୟ ଦାଶ): ଗତ କିଛି ମାସ ହେଲା ଅଟୋ ରିଟେଲ ସେଲିଂରେ କ୍ରମାଗତ ଭାବେ ଅଭିବୃଦ୍ଧି ଘଟୁଛି। ଏପରିକି ପାର୍ବଣ ପୂର୍ବରୁ ଅଟୋ ରିଟେଲ ସେଲିଂରେ ଉତ୍ସାହ ପରିଲକ୍ଷିତ ହୋଇଛି। ବିଶେଷକରି ୨୦୨୩ ସେପ୍ଟେମ୍ବର ମାସର ରିଟେଲ ସେଲିଂ ୨୦% (୨୦.୩୬%)ରୁ ଅଧିକ ରହିଥିବା ଦି ଫେଡେରେଶନ ଅଫ୍‌ ଅଟୋମୋବାଇଲ ଡିଲର୍ସ ଆସୋସିଏଶନ୍‌ସ (ଏଫ୍‌ଏଡିଏ ବା ଫାଡା) ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଅପରପକ୍ଷରେ ୨୦୨୩ ଅଗଷ୍ଟ ମାସର ବିକ୍ରି ତୁଳନାରେ ୨୦୨୩ ସେପ୍ଟେମ୍ବରରେ ୩.୫% ବିକ୍ରି ଅଭିବୃଦ୍ଧି ହାସଲ କରିଛି। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ସେପ୍ଟେମ୍ବରରେ ରିଟେଲ ସେଲିଂ ମୋଟାମୋଟି ଭାବେ ୧୮,୮୨,୦୭୧ ୟୁନିଟ୍‌ ଯାନ ବିକ୍ରି କରାଯାଇଥିବାବେଳେ ୨୦୨୨ ସେପ୍ଟେମ୍ବରରେ ଏହି ସଂଖ୍ୟା ୧୫,୬୩, ୭୩୫ ୟୁନିଟ୍‌ ଥିଲା। ସେହିଭଳି ୨୦୨୨ ଅଗଷ୍ଟରେ ମୋଟାମୋଟି ଗାଡି ବିକ୍ରି ୧୭,୭୦,୧୮୧ ୟୁନିଟ ହୋଇଥିଲାବେଳେ ମାସିକ ବିକ୍ରି ଭିତ୍ତିରେ ୩.୪୯% ଅଧିକ ଗାଡି ୨୦୨୩ ସେପ୍ଟେମ୍ବରରେ ବିକ୍ରି ହୋଇଥିବା ଫାଡା ପକ୍ଷରୁ କୁହାଯାଇଛି।
ଅପରପକ୍ଷରେ ୨୦୨୩ ସେପ୍ଟେମ୍ବରରେ ଦୁଇ ଚକିଆ ଯାନ ବିକ୍ରି ୨୨% ବଢିଥିବାବେଳେ ୩ ଚକିଆ ରିଟେଲ ସେଲିଂ ପ୍ରାୟ ୪୯% ବୃଦ୍ଧି ଘଟିଛି। ଏପରିକି ଯାତ୍ରୀବାହୀ ଯାନର ରିଟେଲ ସେଲିଂ ପ୍ରାୟ ୧୯% ଏବଂ ବାଣିଜି୍ୟକ ଯାନର ରିଟେଲ ସେଲିଂ ପ୍ରାୟ ୫% ଅଭିବୃଦ୍ଧି ହୋଇଛି ବୋଲି ଫାଡା ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ୨୦୨୩ ସେପ୍ଟେମ୍ବରରେ ଟ୍ରାକ୍ଟର ବିକ୍ରି ପ୍ରାୟ ୧୦% ହ୍ରାସ ଘଟିଛି।
ଏ ସମ୍ପର୍କରେ ଫାଡାର ସଭାପତି ମନୀଷ ରାଜ ସିଙ୍ଘାନିଆ କହିଛନ୍ତି, ଆଗକୁ ପାର୍ବଣ ଥିବାରୁ ରିଟେଲ ସେଲିଂରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି। କାରଣ ପାର୍ବଣରେ ସମସ୍ତ ଅଟୋମୋବାଇଲ କମ୍ପାନୀ ନୂତନ ଉତ୍ପାଦର ଅନାବରଣ ଓ ବଜାର ପ୍ରବେଶ ସାଙ୍ଗକୁ ଆକର୍ଷଣୀୟ ଅଫର ଓ ସୁବିଧା ଗ୍ରାହକଙ୍କୁ ଯୋଗାଇ ଦେବାର ସମ୍ଭାବନା ରହିଛି।

Share