ଫାଷ୍ଟଫୁଡ କମ୍ପାନୀଗୁଡିକ ପ୍ରାୟତଃ ଦାବି କରନ୍ତି ଯେ ସେମାନଙ୍କର ଖାଦ୍ୟ ସୀମିତ ସମୟ ମଧ୍ୟରେ ପ୍ରସ୍ତୁତ ହୋଇପାରିବ, କିନ୍ତୁ ସଠିକ୍ ସମୟରେ ଏହା ନ ହେଲେ, ଗ୍ରାହକମାନେ ବହୁତ ଅସନ୍ତୁଷ୍ଟ ହୁଅନ୍ତି। ମାର୍କେଟିଂର ଏହି କୌଶଳ ବୋଧହୁଏ ଗ୍ରାହକଙ୍କୁ ପ୍ରଲୋଭିତ କରିବା ପାଇଁ ଭଲ, କିନ୍ତୁ ଏହା ବେଳେବେଳେ ନକାରାତ୍ମକ ପ୍ରଭାବ ପକାଇଥାଏ। କିଛି ମିନିଟ ମଧ୍ୟରେ ଫାଷ୍ଟଫୁଡ ପ୍ରସ୍ତୁତ କରିହେବ ଦାବି କରୁଥିବା ଏକ କମ୍ପାନୀ ପାଇଁ ମହଙ୍ଗା ପଡିଛି। ଜଣେ ମହିଳା କମ୍ପାନୀର ଏଭଳି ଦାବି ଉପରେ ଏତେ ରାଗି ଯାଇଥିଲେ ଯେ ସେ ଚରମ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଥିଲେ। ମହିଳା ଜଣକ ସାଢେ ୩ ମିନିଟରେ ତାଙ୍କ ପାସ୍ତା ପ୍ରସ୍ତୁତ ହୋଇ ନ ଥିବା ଦାବିରେ ପାସ୍ତା କମ୍ପାନୀକୁ କୋର୍ଟକୁ ଟାଣି ନେଇଥିଲେ।
ଆମେରିକାର ଫ୍ଲୋରିଡାର ଅମାଣ୍ଡା ରାମିରେଜ ନାମକ ଜଣେ ମହିଳା ଆମେରିକୀୟ ଖାଦ୍ୟ କମ୍ପାନୀ କ୍ରାଫ୍ଟ ହେଞ୍ଜଙ୍କ ବିରୋଧରେ ୫ ମିଲିୟନ ଡଲାର(୪୦ କୋଟିରୁ ଅଧିକ)ରେ ମୋକଦ୍ଦମା ଦାୟର କରିଛନ୍ତି। କମ୍ପାନୀ ପକ୍ଷରୁ ଦାବି କରାଯାଇଥିଲା ଯେ, ପାସ୍ତା ମାତ୍ର ସାଢେ ୩ ମିନିଟ୍ ପ୍ରସ୍ତୁତ ହୋଇଯାଏ। କିନ୍ତୁ ଏହା ନ ହେବାରୁ ପାସ୍ତା ଅର୍ଡର ଦେଇଥିବା ମହିଳା ଜଣକ ରାଗି ଯାଇ ଏମିତି ପଦକ୍ଷେପ ନେଇଥିଲେ।