Categories: Home Leftଖେଳ

କିଙ୍ଗ୍‌ ଖାନ ଭଳି ହୃଦୟ ଜିତିଲା କେକେଆର

ମୁମ୍ବାଇ,୨୧।୪ : କ୍ରିକେଟ ଏକ ଅନିଶ୍ଚିତତାର ଖେଳ। ଏଥିରେ କେତେବେଳେ କ’ଣ ଘଟିବ, ତାହାର ପୂର୍ବାନୁମାନ କରିବା ସହଜ ନୁହେଁ। କିଛି ଏଭଳି ମ୍ୟାଚ୍‌ ଦେଖିବାକୁ ମିଳିଲା ବୁଧବାର ଖେଳାଯାଇଥିବା ଆଇପିଏଲ ମ୍ୟାଚ୍‌ରେ। ୨୨୧ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ଓ ଟପ୍‌ ଅର୍ଡର ଫେଲ ମାରିବା ପରେ ମଧ୍ୟ ଶେଷ ପର୍ଯ୍ୟନ୍ତ ଲଢ଼େଇ କଲା କେକେଆର। ଅବଶ୍ୟ ପରାଜୟ ଏଡ଼ାଇ ପାରିଲା ନାହିଁ। କିନ୍ତୁ ବଲିଉଡ୍‌ କିଙ୍ଗ୍‌ ଶାହାରୁଖ ଖାନଙ୍କ ଭଳି କୋଲକାତା ନାଇଟ୍‌ ରାଇଡର୍ସକୁ ଜଣାଅଛି ହୃଦୟ ଜିତିବା। ଅନ୍ୟପକ୍ଷରେ ବିଜୟ ସହ ସିଏସ୍‌କେ ପଏଣ୍ଟ ଟେବୁଲର ଶୀର୍ଷକୁ ଉନ୍ନୀତ ହୋଇଛି।

ସାମ୍ନାରେ ୨୨୧ ରନ୍‌ର ପାହାଡ଼ ଭଳି ବିଜୟ ଲକ୍ଷ୍ୟ ଯୋଗୁ ଚାପର ସମ୍ମୁଖୀନ ହୋଇଥିଲା କେକେଆରର ଟପ୍‌ ଅର୍ଡର। ମାତ୍ର ୩୧ ରନ୍‌ରେ ୫ ଉଇକେଟ ହରାଇ ଦେଇଥିଲା ଦଳ। ଲାଗୁଥିବା ଦଳ ବେଶୀ ବାଟ ଯାଇ ପାରିବ ନାହିଁ। କିନ୍ତୁ ଆଶା ଛାଡ଼ି ନ ଥିଲେ ଆନ୍ଧ୍ରେ ରସେଲ (୫୪ ରନ୍‌, ୩ ଚୌକା ଓ ୬ ଛକା) ଓ ଦୀନେଶ କାର୍ତ୍ତିକ (୪୦ ରନ୍‌, ୪ ଚୌକା ଓ ୨ ଛକା) ଓ ପାଟ କମିନ୍ସ (୬୬* ରନ୍‌, ୪ ଚୌକା ଓ ୬ ଛକା)। ସାମ କୁରାନଙ୍କ ଓଭରରେ ଲଗାତାର ୫ ଛକା ମାରିଥିଲେ କମିନ୍ସ। ଏହାପରେ ପ୍ରତ୍ୟେକ ଓଭରରେ କମିନ୍ସଙ୍କ ବ୍ୟାଟରୁ ବାହାରିଥିଲା ଚୌକା ଓ ଛକା। ତାଙ୍କ ଉପସ୍ଥିତି ଯୋଗୁ ଶେଷ ଓଭର ପର୍ଯ୍ୟନ୍ତ କେକେଆରର ଜିତିବା ଆଶା ଥିଲା। କିନ୍ତୁ ୧୯.୧ ଓଭରରେ ୨୦୨ ରନ୍‌ରେ ଅଲଆଉଟ୍‌ ହୋଇଥିଲା କୋଲକାତା। ସିଏସ୍‌କେ ପାଇଁ ଦୀପକ ଚହର ୪ ଓ ଲୁଙ୍ଗି ଏନ୍‌ଗିଡି ୩ ଉଇକେଟ ନେଇଥିଲେ।

ରୁତୁରାଜ ଗାଏକ୍ୱାଡ ଓ ଫାଫ୍‌ ଡୁ’ପ୍ଲେସିଙ୍କ ଓପନିଂ ଯୋଡ଼ି ୧୨ ଓଭରରେ ଯୋଡ଼ିଥିଲେ ୧୧୫ ରନ୍‌। ଏପର୍ଯ୍ୟନ୍ତ ଆଇପିଏଲରେ ସଂଘର୍ଷ କରୁଥିବା ଗାଏକ୍ୱାଡ ଖେଳିଥିଲେ ୬୪ ରନ୍‌ର ବିସ୍ଫୋରକ ପାଳି। ତାଙ୍କ ଇନିଂସରେ ସାମିଲ ଥିଲା ୬ ଚୌକା ଓ ୪ ଛକା। ଅନ୍ୟ ପଟେ ଅଳ୍ପକେ ଶତକରୁ ବଞ୍ଚିତ ହୋଇଥିଲେ ଡୁ’ପ୍ଲେସି। ସେ ୬୦ ବଲରେ ୯ ଚୌକା ଓ ୪ ଛକା ବଳରେ ୯୫ ରନ୍‌ର ଅପରାଜିତ ରହିିଥିଲେ। ତାଙ୍କ ବାଦ୍‌ ୨୫ (୨ ଲେଖାଏ ଛକା ଓ ଚୌକା) ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ ମୋଇନ ଅଲି। ଉପର କ୍ରମରେ ଆସିଥିବା ଅଧିନାୟକ ଧୋନୀ (୧୭)ଙ୍କ ବ୍ୟାଟରୁ ଦେଖିବାକୁ ମିଳିଥିଲା ବହୁ ପ୍ରତୀକ୍ଷିତ ଛକା। ଇନିଂସର ଅନ୍ତିମ ବଲରେ ଛକା ମାରିଥିଲେ ରବୀନ୍ଦ୍ର ଜାଡେଜା। ଫଳରେ ଚେନ୍ନାଇ ୨୦ ଓଭରରେ ୩ ଉଇକେଟ ୨୨୦ ରନ୍‌ କରିଛି।