ନୂଆଦିଲ୍ଲୀ,୬।୪: ଅଷ୍ଟ୍ରେଲିୟ ଦ୍ରୁତ ବୋଲର ପ୍ୟାଟ୍ କୁମିନ୍ସଙ୍କୁ କୋଲକାତା ନାଇଟ୍ ରାଇଡର୍ସ ସାଢ଼େ ୧୫ କୋଟି ଟଙ୍କାରେ କିଣିଥିଲା। ଏବେ କୁମିନ୍ସ ଆଗାମୀ ଆଇପିଏଲ୍ରେ କେକେଆର୍ ପକ୍ଷରୁ ଖେଳିବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ସମୟରେ ହାଇଦ୍ରାବାଦ ହୋଟେଲରେ ପ୍ରଶଂସକମାନଙ୍କ ସହ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ କେଉଁ ଅଧିନାୟକ ପସନ୍ଦ ତାହା କହିଛନ୍ତି। ମହେନ୍ଦ୍ର ସିଂହ ଧୋନୀ ନୁହନ୍ତି, ନା ବିରାଟ କୋହଲି, କୁମିନ୍ସ ଗୌତମ ଗମ୍ଭୀରଙ୍କ ଅଧିନାୟକତ୍ୱରେ ଖେଳିବାକୁ ପସନ୍ଦ କରନ୍ତି ବୋଲି କହିଛନ୍ତି।
୨୦୧୪ରେ କୋଲକାତା ନାଇଟ ରାଇଡର୍ସ ଆଇପିଏଲ୍ ବିଜେତା ହୋଇଥିଲା। ଏହି ସମୟରେ ଦଳର ଅଧିନାୟକ ଥିଲେ ଗମ୍ଭୀର। ଦ୍ୱିତୀୟ ଥର ପାଇଁ ଗମ୍ଭୀରଙ୍କ ଅଧିନାୟକତ୍ୱରେ ଦଳ ବିଜେତା ହୋଇଥିଲା। ଉକ୍ତ ମ୍ୟାଚ୍ ପରେ କୁମିନ୍ସ ସାଥୀ ଖେଳାଳିଙ୍କ ସହ ବାହାରକୁ ବାହାରିବା ପରେ ପ୍ରଶଂସକଙ୍କ ଉତ୍କଣ୍ଠା ଦେଖି ଭାବବିହ୍ବଳ ହୋଇଯାଇଥିଲେ। ଏହି ସ୍ମୃତି ସେ ସବୁଦିନ ପର୍ଯ୍ୟନ୍ତ ମନେ ରଖିବେ। ମୋଟ ଉପରେ ଦେଖିବାକୁ ଗଲେ ଗମ୍ଭୀରଙ୍କ ଆକ୍ରାମକ ଅଧିନାୟକତ୍ୱ ତାଙ୍କୁ ପସନ୍ଦ ବୋଲି ସେ କହିଛନ୍ତି।