Categories: ଜାତୀୟ

କରୋନିଲକୁ ନେଇ ପତଞ୍ଜଳି ଆୟୁର୍ବେଦର ୟୁଟର୍ଣ୍ଣ: ପ୍ରସ୍ତୁତ କରିନାହିଁ କରୋନା ଔଷଧ

ହରିଦ୍ୱାର,୩୦।୬: କରୋନା ଭାଇରସ ରୋକିବା ପାଇଁ ଔଷଧ ପ୍ରସ୍ତୁତ କରିଥିବା ଦାବି କରିଥିବା ପତଞ୍ଜଳି ଆୟୁର୍ବେଦ ଏବେ ଏହାକୁ ନେଇ ୟୁଟର୍ଣ୍ଣ ନେଇଛି। ଉତ୍ତରାଖଣ୍ଡ ଆୟୁଷ ବିଭାଗକୁ ଦେଇଥିବା ଜବାବରେ ପତଞ୍ଜଳି କହିଛି ସଂସ୍ଥା ଏପର୍ଯ୍ୟନ୍ତ କୌଣସି କେରାନା ଔଷଧ ପ୍ରସ୍ତୁତ କରିନାହିଁ। ସୂଚନାଯୋଗ୍ୟ, ନିକଟରେ ଯୋଗଗୁରୁ ବାବା ରାମଦେବ ଓ ପତଞ୍ଜଳିର ସିଇଓ ଆଚାର୍ଯ୍ୟ ବାଲକ୍ରିଷ୍ଣନ କରୋନିଲ ନାମକ ଏକ କରୋନା ଔଷଧ ଲଞ୍ଚ କରିଥିଲେ। ଏହାଦ୍ୱାରା ଜଣେ ସାମାନ୍ୟ ସଂକ୍ରମିତ କରୋନା ରୋଗୀ ୭-୧୦ ଦିନ ଭିତରେ ସମ୍ପୂର୍ଣ୍ଣ ଠିକ୍‌ ହୋଇଯିବ ବୋଲି ମଧ୍ୟ ଦାବି କରାଯାଇଥିଲା। ସାରା ବିଶ୍ୱରେ ମାଡି ଚାଲିଥିବା କରୋନା ଭାଇରସ ସଂକ୍ରମଣକୁ ନେଇ ଏପର୍ଯ୍ୟନ୍ତ କୌଣସି ଔଷଧ ଆସି ନ ଥିବା ବେଳେ ପତଞ୍ଜଳିର ଏହି ଔଷଧ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ସ୍ପଷ୍ଟିକରଣ ଦେବାକୁ ପତଞ୍ଜଳିକୁ କୁହାଯାଇଥିବା ବେଳେ ଏବେ ପତଞ୍ଜଳି କୌଣସି କରୋନା ଔଷଧ ପ୍ରସ୍ତୁତ କରିନାହିଁ ବୋଲି କହିଛି। କେବଳ କରୋନା ସଂକ୍ରମିତ ଏହି ଔଷଧ ଖାଇବା ଦ୍ୱାରା ସୁସ୍ଥ ହୋଇଛନ୍ତି ବୋଲି ପତଞ୍ଜଳି କହିଥିବା ଏବେ ସଫେଇ ଦେଇଛି। କିନ୍ତୁ କରୋନା ପାଇଁ ଏହା ବ୍ୟବହାର କରାଯିବା କଥା କୁହାଯାଇ ନାହିଁ ବୋଲି କହିଛନ୍ତି ବାଲକ୍ରିଷ୍ଣନ।

Share