ଶୈଶବଙ୍କ ବାଟ ଓଗାଳିଛି କରୋନା…

ନୂଆଦିଲ୍ଲୀ, ୧୭।୧ : ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନା ଧରୁନି। ଏହା ଯୋଗୁ ଶିଶୁଙ୍କର ବହୁ କ୍ଷତି ହେବାରେ ଲାଗିଛି। କରୋନା କାରଣରୁ ବିଦ୍ୟାଳୟ ବନ୍ଦ ହେବାରୁ ଗତ ଦୁଇ ବର୍ଷ ମଧ୍ୟରେ ପିଲାମାନଙ୍କର ଶିକ୍ଷାଲାଭ କରିବା କ୍ଷମତା ପ୍ରଭାବିତ ହୋଇଛି। ଏହାକୁ ଲର୍ଣ୍ଣିଂ ପ୍ରଭର୍ଟି ବା ଶିକ୍ଷା ଦାରିଦ୍ର୍ୟତା କୁହାଯାଉଛି।

ସଂକ୍ରମଣ ରୋକିବା ନାମରେ ସ୍କୁଲ ବନ୍ଦ କରିବା ଏକ ଭୁଲ୍‌ ନିଷ୍ପତ୍ତି ବୋଲି ବିଶ୍ୱ ବ୍ୟାଙ୍କ ପକ୍ଷରୁ ଚେତାବନୀ ମଧ୍ୟ ଦିଆଯାଇଛି। ସଂକ୍ରମଣ ସମୟରେ ଯେତେବେଳେ ରେଷ୍ଟୁରାଣ୍ଟ, ହୋଟେଲ, ବାର୍‌ ଏବଂ ଶପିଂ ମଲ ଖୋଲାଯାଉଛି ସେତେବେଳେ ସ୍କୁଲ ବନ୍ଦ କରିବାର କୌଣସିି କାରଣ ନାହିଁ ବୋଲି ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବିଶ୍ୱ ବ୍ୟାଙ୍କ ଶିକ୍ଷା ନିର୍ଦ୍ଦେଶକ ଜେଇମ ସାଭେଦ୍ରା ଏନେଇ ମଧ୍ୟ ପ୍ରଶ୍ନ ଉଠାଇ ସାରିଛନ୍ତି।

କରୋନା ଶୈଶବଙ୍କ ବାଟ ଓଗାଳିଛି। ଏହା ଯୋଗୁ ଶିକ୍ଷା କ୍ଷେତ୍ରରେ ସଙ୍କଟ ଦେଖା ଦେଇଛି। ସ୍କୁଲ ବନ୍ଦ ଯୋଗୁ ଭାରତରେ ୭୦ ପ୍ରିଲାଙ୍କ ବୌଦ୍ଧିକ ବିକାଶ ପ୍ରଭାବିତ ହୋଇଛି। ବିଶ୍ୱ ବ୍ୟାଙ୍କର ଏକ ଅଧ୍ୟୟନ ଅନୁଯାୟୀ, ଭାରତରେ ସ୍କୁଲ ବନ୍ଦ ଯୋଗୁ ଗତ ଦୁଇ ବର୍ଷ ମଧ୍ୟରେ ୧୦ ବର୍ଷ ବୟସ ପର୍ଯ୍ୟନ୍ତ ୭୦ ପ୍ରତିଶତ ପିଲାଙ୍କ ଶିକ୍ଷା ଲାଭ କ୍ଷମତା ବିଶେଷ ସଙ୍କଟରେ ରହିଛି। ଫଳରେ ପିଲାମାନଙ୍କ ପାଇଁ ସରଳ ବାକ୍ୟ ପଢ଼ିିବା ଏବଂ ଲେଖିବା କଷ୍ଟକର ହୋଇପଡ଼ିଛି।

ଡିସେମ୍ବର ୨୦୨୧ରେ ପ୍ରକାଶିତ ୟୁନିସେଫ ରିପୋର୍ଟ ଅନୁଯାୟୀ, ପୃଥିବୀର ୧୦୦ରୁ ଅଧିକ ଦେଶରେ ସ୍କୁଲଗୁଡ଼ିକ ପୁଣି ଖୋଲାଯାଇଛି। ଆମେରିକା, ବ୍ରିଟେନ, କାନାଡା ଏବଂ ଜାପାନରେ କରାଯାଇଥିବା ଅନୁସନ୍ଧାନ ଅନୁଯାୟୀ, ସଂକ୍ରମଣର ବୃଦ୍ଧି ବିଦ୍ୟାଳୟ ଖୋଲିବା ଦ୍ୱାରା ପ୍ରଭାବିତ ହୋଇ ନାହିଁ। କରୋନା ମହାମାରୀ ଯୋଗୁ ପୃଥିବୀର ପ୍ରାୟ ୩୦ କୋଟି ପିଲାଙ୍କ ଶିକ୍ଷା ପ୍ରଭାବିତ ହୋଇଛି।

ବିଶ୍ୱ ବ୍ୟାଙ୍କର ଏକ ଆକଳନ ଅନୁଯାୟୀ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆସନ୍ତା ସମୟରେ ଭାରତର ଅର୍ଥନୀତିରେ ପ୍ରାୟ ୩୦ ଲକ୍ଷ କୋଟି ଟଙ୍କାର କ୍ଷତି ହେବାର ଆଶଙ୍କା ରହିଛି। ଶିକ୍ଷା ପ୍ରଭାବିତ ହେବାରୁ ପିଲାମାନଙ୍କର ଭବିଷ୍ୟତ ରୋଜଗାର ଉପରେ ପ୍ରତିକୂଳ ପ୍ରଭାବ ପଡିବାର ଆଶଙ୍କା ରହିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Share