‘ପଠାନ୍‌’ ରିଲିଜକୁ ନେଇ ଶାହାରୁଖଙ୍କୁ ଶୁଭେଚ୍ଛା ଜଣାଇଲେ କାର୍ତ୍ତିକ

ନୂଆଦିଲ୍ଲୀ,୨୫।୧: ଦୀର୍ଘଦିନର ବ୍ୟବଧାନ ପରେ ବଲିଉଡ୍‌ କିଙ୍ଗ ଖାନ୍‌ ଶାହାରୁଖଙ୍କ ଫିଲ୍ମ ରିଲିଜ ହୋଇଛି। ‘ପଠାନ୍‌’କୁ ନେଇ ଦେଶ ତଥା ବିଦେଶର ପ୍ରଶଂସକଙ୍କ ମଧ୍ୟରେ ଭିନ୍ନ କ୍ରେଜ ଦେଖିବାକୁ ମିଳିଛି। ଏସବୁ ମଧ୍ୟରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଦୀନେଶ କାର୍ତ୍ତିକ ଟୁଇଟ୍‌ କରି ଫିଲ୍ମର ସଫଳତା କାମନା କରିଛନ୍ତିି। କାର୍ତ୍ତିକ ଫିଲ୍ମକୁ ନେଇ ବହୁତ ଉତ୍ସାହିତ ଥିବା ବେଳେ ଟୁଇଟ୍‌ କରି କହିଛନ୍ତି, ଚାରି ବର୍ଷରୁ ଅଧିକ ସମୟ ପରେ ଶାହାରୁଖ ବଡ଼ ପରଦାକୁ ଫେରୁଛନ୍ତି। ଏଣୁ ଫିଲ୍ମଟି ମେଗା ବ୍ଲକବଷ୍ଟର ହେଉ। ତୁମେ ସମସ୍ତ ସଫଳତା ପାଇବାର ଯୋଗ୍ୟ ବୋଲି ସେ କହିଛନ୍ତି।

କହିରଖୁଛୁ, କାର୍ତ୍ତିକ ୨୦୧୮ରୁ ୨୦୨୧ ପର୍ଯ୍ୟନ୍ତ ଆଇପିଏଲ୍‌ରେ ଶାହାରୁଖଙ୍କ ଟିମ୍‌ କୋଲକାତା ନାଇଟ ରାଇଡର୍ସ ପାଇଁ ଖେଳିଛନ୍ତି। ୨୦୨୧ରେ ଆଇପିଏଲ୍‌ ଫାଇନାଲ ଖେଳିଥିବା ଟିମ୍‌ର ସେ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲେ।

ତେବେ ୨୦୧୮ରେ ଆନନ୍ଦ ଏଲ୍‌ ରାୟଙ୍କ ଫିଲ୍ମ ‘ଜିରୋ’ ପରେ ଶାହାରୁଖ ବଡ଼ ପରଦାଠୁ ଦୂରେଇ ଯାଇଥିଲେ। ଏହି କାରଣରୁ ‘ପଠାନ୍‌’କୁ ନେଇ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି। ଫିଲ୍ମରେ ଅନ୍ୟ କଳାକାର ଭାବେ ଦୀପିକା ପାଦ୍ୟୁକୋନ ଏବଂ ଜନ୍‌ ଆବ୍ରାହମ ମୁଖ୍ୟ ଭୂମିକାରେ ନଜର ଆସିବେ।