Categories: ଜାତୀୟ

ମହଙ୍ଗା ପଡ଼ିଲା ଖଲିସ୍ତାନ ଶୋଭାଯାତ୍ରାରେ ସାମିଲ ହେବା: ହରିଶ ଶିଙ୍ଗଲା ଶିବସେନାରୁ ବହିଷ୍କାର

ପଟିଆଲା,୨୯।୪: ପଞ୍ଜାବର ପଟିଆଲାରେ ଶୁକ୍ରବାର ଶିବସେନା ପକ୍ଷରୁ ଖଲିସ୍ତାନ ବିରୋଧରେ ଏକ ଶୋଭାଯାତ୍ରା ବାହାର କରାଯାଇଥିଲା। ଏହି ସମୟରେ ଶିବସେନା କର୍ମକର୍ତ୍ତା ଓ ଖଲିସ୍ତାନ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଏହି ମୁହାଁମୁହିଁ ଶେଷରେ ଗୋଷ୍ଠି ସଂଘର୍ଷରେ ପରିଣତ ହୋଇଥିଲା। ଦୁଇ ପକ୍ଷରୁ ପରସ୍ପର ମଧ୍ୟରେ ପଥରମାଡ଼ କରାଯାଇଥିଲା। ଇତିମଧ୍ୟରେ ଏହି ମାମଲାକୁ ନେଇ ପଞ୍ଜାବ ଶିବସେନା ପକ୍ଷରୁ ଏକ ବଡ଼ ବୟାନ ଆସିଛି। ଏହି ଘଟଣାରେ ଶିବସେନା କର୍ମକର୍ତ୍ତାଙ୍କ ସମ୍ପୃକ୍ତି ଥିବା ନେଇ ପଞ୍ଜାବ ଶିବସେନା ଏକ ପ୍ରକାର ସ୍ବୀକାର କରିଛି। ଏହି ମାମଲାରେ ପଞ୍ଜାବ ଶିବସେନାର ଅଧ୍ୟକ୍ଷ ଯୋଗରାଜ ଶର୍ମା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଶିବସେନା ନେତା ହରିଶ ସିଙ୍ଗଲାଙ୍କୁ ଦଳରୁ ବହିଷ୍କାର କରିଛନ୍ତି। ଅଧ୍ୟକ୍ଷ ଯୋଗରାଜ ଶର୍ମାଙ୍କ ଦ୍ୱାରା ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇ ଏନେଇ ସୂଚନା ଦିଆଯାଇଛି। ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ଦଳ ବିରୋଧୀ କାର୍ଯ୍ୟକଳାପ ଯୋଗୁ ହରିଶ ସିଙ୍ଗଲାଙ୍କୁ ବହିଷ୍କାର କରାଯାଇଛି। ତେବେ ରାଷ୍ଟ୍ରୀୟ ସଭାପତି ଉଦ୍ଧବ ଠାକରେ, ଯୁବ ସେନାର ଜାତୀୟ ସଭାପତି ଆଦିତ୍ୟ ଠାକରେ ଏବଂ ଶିବସେନା ଜାତୀୟ ସଚିବ ଅନିଲ ଦେଶାଇଙ୍କ ନିର୍ଦ୍ଦେଶରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଯୋଗରାଜ ଶର୍ମା କହିଛନ୍ତି।

Share