Categories: ଜାତୀୟ

ଟୁଲକିଟ ମାମଲା: ଫେବୃୟାରୀ ୨୩ରେ ଦିଶା ରବିଙ୍କ ଜାମିନ ଆବେଦନ ନିଷ୍ପତ୍ତି

ନୂଆଦିଲ୍ଲୀ,୨୦।୨: ଟୁଲକିଟ ମାମଲାରେ ଗିରଫ ହୋଇଥିବା ଦିଶା ରବିଙ୍କ ଜାମିନ ଆବେଦନ ଶନିବାର ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଶୁଣାଣି ହୋଇଥିଲା। ଆଡିସନାଲ ସେଶନ ଜଜ୍‌ ଧର୍ମେନ୍ଦ୍ର ରାଣାଙ୍କ ବେଞ୍ଚ ଏହି ମାମଲାର ଶୁଣାଣି କରିଛନ୍ତି। ଦିଶା ରବିଙ୍କ ଜାମିନ ଆବେଦନ ଶୁଣାଣି ବେଳେ ଦିଲ୍ଲୀ ପୋଲିସ କୋର୍ଟଙ୍କୁ କହିଛି ଯେ ଏହା କେବଳ ଏକ ଟୁଲକିଟ ନୁହେଁ। ଭାରତକୁ ଅସମ୍ମାନ କରିବା ଏବଂ ଏଠାରେ ଅଶାନ୍ତି ସୃଷ୍ଟି କରିବା ଏହା ପ୍ରକୃତ ଯୋଜନା ଥିଲା। ଆଇନଗତ କାର୍ଯ୍ୟ ସମ୍ପର୍କରେ ଅବଗତ ଥିବାରୁ ଦିଶା ରବି ହ୍ବାଟସଆପ୍‌ ବାର୍ତ୍ତାଳାପକୁ ଡିଲିଟ କରିଛନ୍ତି ବୋଲି ପୋଲିସ କହିଛି। ଏହା ଦର୍ଶାଏ ଯେ ଟୁଲକିଟ୍‌ ପଛରେ ତାଙ୍କର ଏକ ଘୃଣ୍ୟ ଧାରଣା ଥିଲା। ଏଥି ସହ ଦିଶା ରବିଙ୍କ ଓକିଲ ସିଦ୍ଧାର୍ଥ ଅଗ୍ରୱାଲ କୋର୍ଟରେ କହିଛନ୍ତି ଯେ, ଖାଲିସ୍ତାନ ସହିତ ଦିଶା ରବିଙ୍କର କୌଣସି ସମ୍ପର୍କ ନାହିଁ। ଶିଖ ଫର ଜଷ୍ଟିସ କିମ୍ବା ପୋଏଟିକ୍‌ ଜଷ୍ଟିସ ଫାଉଣ୍ଡେସନ (ପିଜେଏଫ) ସହିତ ତାଙ୍କର ସମ୍ପର୍କ ନ ଥିଲା। ଏଥିସହିତ ଦିଶା ରବିଙ୍କ ଜାମିନ ଆବେଦନ ଉପରେ ପଟିଆଲା ହାଉସ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ପରବର୍ତ୍ତୀ ଶୁଣାଣି ଆସନ୍ତା ଫେବୃୟାରୀ ୨୩ରେ ହେବ।

Share