Categories: ଜାତୀୟ

ସୋନିଆଙ୍କୁ ଭେଟିବେ ପଟିଦାର ନେତା ନରେଶ ପଟେଲ: ଗୁଜରାଟ ନିର୍ବାଚନରେ ମିଳିପାରେ ଗୁରୁଦାୟିତ୍ୱ

ନୂଆଦିଲ୍ଲୀ,୨୩।୪: ଚଳିତ ବର୍ଷ ଶେଷ ସୁଦ୍ଧା ଗୁଜରାଟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଏବେଠାରୁ ଗୁଜରାଟ ରାଜନୀତି ସରଗରମ ହେବାରେ ଲାଗିଛି। ପ୍ରତ୍ୟେକ ଦଳ ବର୍ତ୍ତମାନଠାରୁ ନିଜ ଦଳକୁ ମଜବୁତ କରିବାକୁ ଉଦ୍ୟମ ଚଳାଇଛନ୍ତି। ଏହିକ୍ରମରେ କଂଗ୍ରେସ ମଧ୍ୟ ସାମିଲ ରହିଛି। କଂଗ୍ରେସକୁ କ୍ଷମତାକୁ ଆଣିବା ପାଇଁ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ବିଭିନ୍ନ ଯୋଜନା କରୁଛନ୍ତି। ଏହି ସମୟରେ ଏକ ଖବର ଶୁଣିବାକୁ ମିଳୁଛି ଯେ, ପାଟିଦାର ନେତା ନରେଶ ପଟେଲ କଂଗ୍ରେସ ହାଇକମାଣ୍ଡଙ୍କୁ ଭେଟିପାରନ୍ତି। ଖୁବ୍‌ଶୀଘ୍ର ସେ କଂଗ୍ରେସରେ ଯୋଗଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ, ନରେଶ ପଟେଲ ଶନିବାର ସନ୍ଧ୍ୟାରେ ଦିଲ୍ଲୀରେ ସୋନିଆ ଗାନ୍ଧୀଙ୍କୁ ଭେଟିବେ। ଉଭୟଙ୍କ ସାକ୍ଷାତକାର ସମୟରେ ପ୍ରଶାନ୍ତ କିଶୋର ମଧ୍ୟ ଉପସ୍ଥିତ ରହିବାର ସମ୍ଭାବନା ରହିଛି। ଗୁଜୁରାଟ ବିଧାନସଭା ନିର୍ବାଚନରେ ପାଟିଦାର ନେତା ନରେଶ ପଟେଲଙ୍କୁ କଂଗ୍ରେସ ଏକ ବଡ଼ ଦାୟିତ୍ୱ ଦେଇପାରେ ବୋଲି ଆଲୋଚନା ହେଉଛି। ଅନ୍ୟପଟେ ନରେଶ ପଟେଲଙ୍କ ବ୍ୟକ୍ତିଗତ କର୍ମକର୍ତ୍ତା କହିଛନ୍ତି ଯେ, ସୋନିଆ ଗାନ୍ଧୀଙ୍କ ସହ ସାକ୍ଷାତକାର ସମ୍ପୂର୍ଣ୍ଣ ମିଥ୍ୟା। ତେବେ ମେ’ ୧ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଗୁଜୁରାଟ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ରାହୁଲ ଡାହୋଡରେ ଆଦିବାସୀ ସମ୍ମିଳନୀକୁ ସମ୍ବୋଧିତ କରିବେ। ସୂଚନା ମୁତାବକ, ନରେଶ ପଟେଲ ରାଜନୀତିରେ ସକ୍ରିୟ ନାହାଁନ୍ତି। କିନ୍ତୁ ଗୁଜୁରାଟର ରାଜନୀତିରେ ତାଙ୍କର ବହୁତ ପ୍ରଭାବ ରହିଛି। ସେ ଶ୍ରୀ ଖୋଡାଲଧାମ ଟ୍ରଷ୍ଟ(ଏସ୍‌କେଟି)ର ଅଧ୍ୟକ୍ଷ ତଥା ଗୁଜୁରାଟର ପାଟିଦାର ସମ୍ପ୍ରଦାୟର ଜଣେ ପ୍ରଭାବଶାଳୀ ସଦସ୍ୟ ରହିଛନ୍ତି। ତେଣୁ କଂଗ୍ରେସ ତାଙ୍କ ଉପରେ ଭରଷା କରି ଗୁରୁ ଦାୟିତ୍ୱ ଦେବାକୁ ନିଷ୍ପତ୍ତି ନେଉଥିବା ଜଣାପଡ଼ିଛି।

Share