ଅଣ୍ଢରା ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀ ସେବା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୩୧ା୭(ଅକ୍ଷୟ ବିଶ୍ୱାଳ):କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକର ଧୋୟାଞ୍ଚଳ ବନ୍ୟାବିପନ୍ନ ଲୋକମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ୧୯୭୧ରେ ଅଣ୍ଢରା ସ୍ବାସ୍ଥ୍ୟସହାୟକ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା। ଯାହା ପରବର୍ତ୍ତୀ ସମୟରେ ଅଣ୍ଢରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ ହୋଇଥିଲା। ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଅମୃତମଣୋହି, ବଲୁରିଆ, ପେଣ୍ଠପାଳ ସିଂହଗଁା ଓ ଆଳି ବ୍ଲକର ନୂଆପଡା ସମେତ ଆଖପାଖ ବହୁ ପଞ୍ଚାୟତର ଲୋକମାନେ ସ୍ବାସ୍ଥ୍ୟ ସେବା ପାଇବା ପାଇଁ ନିର୍ଭର କରୁଛନ୍ତି। ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇବା ଉପରେ ରାଜ୍ୟ ସରକାର ଯଥେଷ୍ଟ ଗୁରୁତ୍ୱାରୋପ କରୁଥିବାରୁ ସରକାରୀ ଅନୁଦାନରେ ଅଣ୍ଢରା ସ୍ବାସ୍ଥ୍ୟକେନ୍ଦ୍ରର ଭିତ୍ତିଭୂମି ବିକାଶ କରାଯାଇଛି ହେଲେ ଆବଶ୍ୟକ ସଂଖ୍ୟକ ଡାକ୍ତର ନିଯୁକ୍ତି ହୋଇନାହିଁ। ଫଳରେ ରୋଗୀ ସେବା କ୍ଷେତ୍ରରେ ଘୋର ସମସ୍ୟା ଦେଖା ଦେଇଛି। ଏହା ଛଡା ଅଣ୍ଢରା ସ୍ବାସ୍ଥ୍ୟକେନ୍ଦ୍ରର ଅନେକ ସମସ୍ୟା ରହିଛି। ସମସ୍ୟାର ସମାଧାନ କ୍ଷେତ୍ରରେ ଉପଯୁକ୍ତ ପଦକ୍ଷେପ ନିଆଯାଇ ନ ଥିବାରୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତ ଡାକ୍ତର ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ରହୁଛନ୍ତି। ସମ୍ପ୍ରତି ଲଗାଣବର୍ଷା ଲାଗି ରହିଥିବାରୁ ଖାଲୁଆ ଅଞ୍ଚଳ ଓ ଚାଷଜମିଗୁଡ଼ିକ ବୁଡ଼ି ଯାଇଛି। ବହୁ ଲୋକ ସର୍ପ ଦଂଶନର ଶିକାର ହୋଇ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଛନ୍ତି। ମାତ୍ର ଏଠାରେ ସାପ କାମୁଡ଼ା ଇଞ୍ଜେକସନ ମହଜୁଦ ନ ଥିବାରୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନିଯୁକ୍ତ ଡାକ୍ତର ସବୁ ସମୟରେରେ ଉପସ୍ଥିତ ରହୁ ନ ଥିବାରୁ ସାଧାରଣ ଥଣ୍ଡା, ଜ୍ୱର, ଝାଡ଼ା ରୋଗୀ ମଧ୍ୟ ଚିକିତ୍ସା ପାଇଁ ଆସି ଅସୁବିଧା ଭୋଗୁଛନ୍ତି। ଏହାଛଡା ଗରିବ ଲୋକମାନେ ମାଗଣାରେ ଔଷଧ ପାଇ ପାରୁନାହାନ୍ତି। ସେମାନେ ବାହାରୁ ଔଷଧ କିଣି ଖର୍ଚ୍ଚାନ୍ତ ହେବା ସାର ହେଉଛି। ଗୁଣାତ୍ମକ ସ୍ବାସ୍ଥ୍ୟସେବା ପାଇଁ ଖାଲି ସୁନ୍ଦର ଗୃହ ନିର୍ମାଣ କଲେ ହେବ ନାହିଁ। ଏଥିପାଇଁ ଆନୁଷଙ୍ଗିକ ବ୍ୟବସ୍ଥାର ଆବଶ୍ୟକତା ରହିଛି। ସମଗ୍ର ଧୋୟାଞ୍ଚଳର ଲୋକମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ୨୪ ଘଣ୍ଟିଆ ଡାକ୍ତର ନିଯୁକ୍ତି ସହ ଔଷଧ, ସାଲାଇନ ଓ ସାପ କାମୁଡା ଇଞ୍ଜେକସନ ପର୍ଯ୍ୟାପ୍ତ ପରିମାଣର ମହଜୁଦ କରିବାର ଯଥେଷ୍ଟ ଆବଶ୍ୟକତା ରହିଛି। ମଧ୍ୟାହ୍ନ ୧୨ଟା ପରେ ଡାକ୍ତର ଅନୁପସ୍ଥିତ ରହୁଥିବାରୁ ସାଧାରଣଠାରୁ ଗୁରୁତର ରୋଗୀ ପର୍ଯ୍ୟନ୍ତ ସୁଦୂର ପଟ୍ଟାମୁଣ୍ଡାଇ ଓ କେନ୍ଦ୍ରାପଡ଼ା ଯିବା ସାର ହେଉଛି। ରାଜ୍ୟ ସରକାର ଓ ଜିଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ବିହିତ ପ୍ରତିକାର କରିବା ପାଇଁ ପୂର୍ବତନ ବ୍ଲକ ଅଧ୍ୟକ୍ଷ ମାନସ ରଞ୍ଜନ ସାମଲ, ସିଂହଗଁା ସମିତି ସଭ୍ୟ ଅଭୟ ସ୍ବାଇଁ, ସାମାଜିକ କର୍ମୀ ଚିତ୍ତ ରଞ୍ଜନ ମଲ୍ଲିକ, ପୂର୍ବତନ ସରପଞ୍ଚ ବସନ୍ତ ସ୍ବାଇଁ ପ୍ରମୁଖ ଦାବି କାରିଛନ୍ତି।