Advertisement

ରୋଗୀଙ୍କୁ ଘରୋଇ ନର୍ସିଂହୋମ୍‌ ପଠାଉଛନ୍ତି ଡାକ୍ତର

କଟକ,୫ା୨(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲରେ ରୋଗୀ ସେବାରେ ବିଭ୍ରାଟ ପରିଲକ୍ଷିତ ହୋଇଛି। ଏସ୍‌ସିବି କାଜୁଆଲ୍‌ଟିରେ ରୋଗୀଙ୍କୁ ଚିକିତ୍ସା କରିବା ପରିବର୍ତ୍ତେ ଘରୋଇ ନର୍ସିଂହୋମ ନେଇ ଅସ୍ତ୍ରୋପଚାର କରାଇବାକୁ ରୋଗୀ ସମ୍ପର୍କୀୟଙ୍କୁ ଡାକ୍ତର ବାଧ୍ୟ କରୁଛନ୍ତି। ଭୁବନେଶ୍ୱର ସାମନ୍ତରାପୁର ଅଞ୍ଚଳର ସନ୍ତୋଷ ପାଢ଼ୀ ଏଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି।
ସନ୍ତୋଷ ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି ଯେ, ରବିବାର ତାଙ୍କ ଘର କାମ ଚାଲିଥିବାବେଳେ କାମରେ ନିୟୋଜିତ ଥିବା ବଳରାମ ମିଶ୍ର (୫୬)ଙ୍କ ବାମପଟ ହାତରେ ମେଶିନ ବାଜି ଗଭୀର ଆଘାତ ଲାଗିଥିଲା। ପରେ ବଳରାମଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଅପରାହ୍ନ ପ୍ରାୟ ୧ଟାରେ ଆମ୍ବୁଲାନ୍ସ ଯୋଗେ ବଳରାମଙ୍କୁ ଏସ୍‌ସିବି କାଜୁଆଲ୍‌ଟିରେ ଭର୍ତ୍ତି କରାଯାଇଥିଲା। ସେତେବେଳେ କାଜୁଆଲ୍‌ଟିରେ କାର୍ଯ୍ୟରତ ଥିବା ଜଣେ ଡାକ୍ତର ବଳରାମଙ୍କୁ ଡ୍ରେସିଂ ପାଇଁ ପଠାଇବା ସହ ତୁରନ୍ତ ଅସ୍ତ୍ରୋପଚାର ଆବଶ୍ୟକ ଥିବା କହିଥିଲେ। ଏପରିକି ସମ୍ପୃକ୍ତ ଡାକ୍ତର ଏକ ଘରୋଇ ହସ୍ପିଟାଲରେ ଏହି ଅସ୍ତ୍ରୋପଚାର କରାଇବା ଏବଂ ଏଥିଲାଗି ୫୦ ହଜାର ଟଙ୍କା ତୁରନ୍ତ ଯୋଗାଡ଼ କରିବାକୁ ସନ୍ତୋଷଙ୍କୁ କହିଥିଲେ। ଏନେଇ ସନ୍ତୋଷ ଉକ୍ତ ଡାକ୍ତରଙ୍କୁ ପ୍ରଶ୍ନ କରିବାରୁ ସେ ଚିକିତ୍ସା ନ କରି ରୋଗୀଙ୍କୁ ଅଣଦେଖା କରିଥିଲେ। କାଜୁଆଲ୍‌ଟିରେ ଉପସ୍ଥିତ ଥିବା ଅନ୍ୟ କର୍ମଚାରୀ ମଧ୍ୟ ଘରୋଇ ନର୍ସିଂହୋମରେ ଅସ୍ତ୍ରୋପଚାର କରିବାକୁ ବାଧ୍ୟ କରିଥିଲେ। ସନ୍ତୋଷ ଏତେଟଙ୍କା ଯୋଗାଡ଼ କରିପାରିବେନି ଏବଂ ଆହତ ବଳରାମଙ୍କର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ରହିଛି ଏବଂ ସେଥିରେ ଅସ୍ତ୍ରୋପଚାର କରିବା ନେଇ କହିବାରୁ ଡାକ୍ତର ଜଣକ ସ୍ପଷ୍ଟ ମନା କରିଦେଇଥିଲେ। ବଳରାମଙ୍କ ଚିକିତ୍ସା କରିବା ପାଇଁ ଡାକ୍ତରଙ୍କୁ ସନ୍ତୋଷ ନିବେଦନ କରିଥିଲେ ମଧ୍ୟ ସେ ବିଭିନ୍ନ ପରୀକ୍ଷା ଓ ରକ୍ତ ଆବଶ୍ୟକ ଥିବା କହି ଚାଲିଯାଇଥିଲେ। ବଳରାମଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଓ ରକ୍ତ ବ୍ୟବସ୍ଥା କରିବା ପରେ ମଧ୍ୟ ରବିବାର ରାତି ପର୍ଯ୍ୟନ୍ତ ତାଙ୍କର ଚିକିତ୍ସା କରାଯାଇ ନ ଥିବା ସନ୍ତୋଷ ଅଭିଯୋଗ କରିଛନ୍ତି। ତେବେ ଏନେଇ ସମ୍ପୃକ୍ତ ଡାକ୍ତର ଏବଂ ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share