ଚେୟାରରେ ରୋଗୀ, ସାଲାଇନ ଧରୁଛନ୍ତି ସମ୍ପର୍କୀୟ

ଭୁବନେଶ୍ୱର, ୨୧।୧୧(ବ୍ୟୁରୋ) : ରାଜ୍ୟର ଅନ୍ୟତମ ପ୍ରମୁଖ ଚିକିତ୍ସାଳୟ କ୍ୟାପିଟାଲ ହସ୍ପିଟାଲରେ ସହଜରେ ମିଳୁନି ବେଡ୍‌। ରୋଗୀ ଘଣ୍ଟା ଘଣ୍ଟା ଧରି ଚେୟାର, ଷ୍ଟ୍ରେଚର ଓ ତଳେ ପଡି ରହୁଛନ୍ତି। ରୋଗୀଙ୍କ ସମ୍ପର୍କୀୟ ସାଲାଇନ୍‌ ଧରି ଠିଆ ହେଉଥିବା ଭଳି ଦୟନୀୟ ଚିତ୍ର ପ୍ରତିଦିନ ଦେଖିବାକୁ ମିଳୁଛି। ତେବେ ରବିବାର ଏହାକୁ ନେଇ ରୋଗୀ ଓ ସମ୍ପର୍କୀୟଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।
ବୃଦ୍ଧା ମା’ ନିଶା ମୁଦୁଲିଙ୍କୁ ଧରି ଚିକିତ୍ସା ପାଇଁ କ୍ୟାପିଟାଲ ଆସିଥିବା ନୟାଗଡ଼ ଜିଲା କଣ୍ଟିଲୋ ଅଞ୍ଚଳର ଜଣେ ମହିଳା କହିଛନ୍ତି, ସା ବେଳୁ ଆସିଲିଣୁ। ହେଲେ ବେଡ୍‌ ମିଳୁନି। ମା’ ଶ୍ୱାସରୋଗୀ, ଦେହ ବହୁତ ଖରାପ ଅଛି। ବାହାରେ ତଳେ ଶୋଇବା ଦ୍ୱାରା ଧୂଳି ଉଡି ସେ ବହୁତ କଷ୍ଟ ଅନୁଭବ କରୁଛନ୍ତି। ପୁଣି ଷ୍ଟ୍ରେଚରରେ ବହୁ ସମୟ ଧରି ଏପଟ ସେପଟ ହେଲୁ। ବାରମ୍ବାର ଡାକ୍ତର ଓ କର୍ମଚାରୀଙ୍କୁ କହିବା ସତ୍ତ୍ୱେ କେହି କର୍ଣ୍ଣପାତ କଲେନାହିଁ। ନ ଦୀର୍ଘ ସମୟ ଅପେକ୍ଷା ପରେ ରାତି ୧୨ଟାରେ ପରେ ବେଡ ମିଳିଥିଲା। ସେହିପରି ଆଉଜଣେ ରୋଗୀ ନିମାପଡ଼ା ଅଞ୍ଚଳରୁ ଆସିଥିବା କାଳନ୍ଦୀ କାଣ୍ଡି ଚେୟାରରେ ଗୁରୁତର ଅବସ୍ଥାରେ ବସି ରହିଥିବାବେଳେ ତାଙ୍କ ଭାଇ ସାଲାଇନ ଧରି ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। ତାଙ୍କ ସାନ ଭାଇଙ୍କ କହିବା ମୁତାବକ, ଭାଇ ଦାନାଦାର ଖାଇଦେବାରୁ ତାଙ୍କୁ ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲୁ। ସେଠାରୁ କ୍ୟାପିଟାଲ ହସ୍ପିଟାଲକୁ ରେଫର କରାଗଲା। ଏଠାରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସାଲାଇନ ଲଗାଯାଇଛି। ଓ୍ବାର୍ଡରୁ ଓ୍ବାର୍ଡ ବୁଲିବା ପରେ ବେଡ ନ ଥିବାରୁ ଚେୟାର ଏମିତି ଅପେକ୍ଷା କରିଛୁ। କେବଳ ଏହି ତିନିଜଣ ନୁହନ୍ତି, ଏମିତି ଅନେକ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ମୁହଁରେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ଓ ଅନ୍ୟ ସେବାକୁ ନେଇ ନାନା ଅଭିଯୋଗ ଶୁଣିବାକୁ ମିଳିଥିଲା। ବେଡ୍‌ ନ ପାଇ ହଟହଟା ହେଉଥିବା ଆଉଜଣେ ରୋଗୀ କହିଛନ୍ତି, ତାଙ୍କଭଳି ଆହୁରି ଅନେକ ରୋଗୀ ଅଛନ୍ତି, ଯେଉଁମାନେ ଶୋଇବା ପାଇଁ ବେଡ ପାଉନାହାନ୍ତି। ରାଜଧାନୀ ମୁଖ୍ୟ ଚିକିତ୍ସାଳୟର କେବଳ କୋଠା ରଙ୍ଗ ବଦଳିଛି, ମାତ୍ର ସ୍ବାସ୍ଥ୍ୟବ୍ୟବସ୍ଥା ଆଜି ପର୍ଯ୍ୟନ୍ତ ସେଇଆ। ଜରୁରୀକାଳୀନୀ ବେଡ୍‌ ସଂଖ୍ୟା ବଢିବାରେ ନାହିଁ। ନୂଆ ଘରକୁ ଅପେକ୍ଷା କରିଛନ୍ତି କର୍ତ୍ତୃପକ୍ଷ। ବେଡ୍‌ ଅଭାବରୁ ରୋଗୀସେବା ବିପର୍ଯ୍ୟସ୍ତ ହୋଇପଡିଛି। ଜରୁରୀକାଳୀନ ୱାର୍ଡରେ ବେଡ ସଂଖ୍ୟା କେଉଁ ରୁମ୍‌ରେ ୫ଟି ତ ପୁଣି କେଉଁଠି ୭ଟି ରହିଛି। ଫଳରେ କୌଣସି ରୋଗୀ ଡିସ୍‌ଚାର୍ଜ ହେବା ପର୍ଯ୍ୟନ୍ତ ରୋଗୀଙ୍କୁ ଅପେକ୍ଷା କରିବାକୁ ପଡୁଛି। ପୁଣି ଏ ରୁମ୍‌ରୁ ସେ ରୁମ୍‌କୁ ଯିବାଆସିବା ଦ୍ୱାରା ରୋଗୀ ମାନସିକସ୍ତରରେ ଆଘାତ ପାଉଛନ୍ତି। ତେଣୁ ଏଥିପ୍ରତି କର୍ତ୍ତୁପକ୍ଷ ଦୃଷ୍ଟି ଦେବାକୁ ରୋଗୀଙ୍କ ସମ୍ପର୍କୀୟମାନେ ଦାବି କରିଛନ୍ତି। ଏ ସମ୍ପର୍କରେ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିପାରି ନାହିଁ।

Share