ବିଦ୍ୟୁତ୍‌ ଯୋଗାଣ ବନ୍ଦ କରି ଦେବାରୁ ରୋଗୀଣା ମା’ଙ୍କୁ ଟ୍ରଲିରେ ବୋହିଲେ

ମାଲକାନଗିରି, ୩୧ା୧୦(ଡି.ଏନ୍‌.ଏ.): ମନମାନି ଚଳାଇଛି ଟାଟା କମ୍ପାନୀ। ବିଦ୍ୟୁତ୍‌ ବିଲ୍‌ ପୈଠ ସତ୍ତ୍ୱେ ଉପଭୋକ୍ତାଙ୍କ ବିଦ୍ୟୁତ୍‌ କାଟୁଛି। ଘରୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହେତୁ ଘରେ ଚିକିତ୍ସାଧୀନ ଥିବା ଜଣେ ବୃଦ୍ଧାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ପ୍ରତିବାଦ ସ୍ବରୂପ ତାଙ୍କ ପୁଅ ଏକ ଟ୍ରଲିରେ ମା’ଙ୍କୁ ବୋହି ଆଣି ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏପରି ଅଭାବନୀୟ ଦୃଶ୍ୟ ରବିବାର ଦେଖିବାକୁ ମିଳିଛି ମାଲକାନଗିରି ଜିଲାର ଏମ୍‌ଭି-୪୧ ଗ୍ରାମରେ।
ଖବରରୁ ଜଣାପଡିଛି, ମାଲକାନଗିରି ଜିଲା ଏମ୍‌.ଭି.-୪୧ ଗ୍ରାମର ଚାଷୀ ଦୀପକ ଦେଙ୍କ ବିଦ୍ୟୁତ୍‌ ବିଲ୍‌ ନିକଟରେ ୨୧ହଜାର ଟଙ୍କା ଆସିଥିଲା। ସେ ସପ୍ତାହେ ତଳେ ୭ ହଜାର ଟଙ୍କା ବାନ୍ଧିଥିଲେ। ତାଙ୍କ ଚାଷ ଜମିରେ ଉଠାଜଳସେଚନ ପମ୍ପ ଚାଲୁ ବାବଦରେ ଆସିଥିବା ବିଦ୍ୟୁତ୍‌ ବିଲ୍‌ ଦୁଇଟି କିସ୍ତିରେ ୨୯ ହଜାର ଟଙ୍କା ପୈଠ କରିଥିବା ବେଳେ ଆଉ ୭ ହଜାର ଟଙ୍କା ବକେୟା ଥିଲା। ସେ ସବୁ ଅର୍ଥ ବାନ୍ଧି ଦେଇଥିବା ବେଳେ କର୍ମଚାରୀମାନେ ତାଙ୍କ ଘର ଏବଂ ଜମିରେ ଥିବା ପମ୍ପର ବିଦ୍ୟୁତ୍‌ ସଂଯୋଗ କାଟି ଦେଇଥିଲେ। ଲମତାପୁଟ ଡାକ୍ତରଖାନାରେ ମା’ଙ୍କ ଚିକିତ୍ସା ବେଳେ ଥଣ୍ଡା ପରିବେଶ, ଫ୍ୟାନ୍‌, କୁଲର, ଅକ୍ସିଜେନ ଦେଇ ଚିକିତ୍ସା ଜାରି ରଖିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ପରେ ସେ ମା’ଙ୍କୁ ଘରକୁ ଆଣି ଚିକିତ୍ସା କରୁଥିଲେ। ବିଲ୍‌ ପୈଠ ପରେ ତାଙ୍କ ବିଦ୍ୟୁତ୍‌ କଟିବାରୁ ତାଙ୍କ ମା’ଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିଲା। ଏ ସମ୍ପର୍କରେ ସେ ବିଭାଗୀୟ ନିର୍ବାହୀଯନ୍ତ୍ରୀ ପ୍ରତାପ କେଶରୀ ନାୟକଙ୍କୁ ଜଣାଇଥିଲେ ମଧ୍ୟ ସେ ଶୁଣି ନ ଥିଲେ ବୋଲି ଦୀପକ ଅଭିଯୋଗ କରିଛନ୍ତି। ଅସହ୍ୟ ଗରମ ଯୋଗୁ ଘରେ ଛଟପଟ ହେଉଥିବା ମା’ଙ୍କୁ ଦୀପକ ଏକ ଟ୍ରଲିରେ ଧରି ରବିବାର ଏମ୍‌ଭି- ୪୧ରୁ ମାଲକାନଗିରି ସଦର ମହକୁମାକୁ ଆଣୁଥିଲେ। ଏହି ଖବରପାଇ ମାଲକାନଗିରି ଥାନା ଅଧିକାରୀ ରାମ ପ୍ରସାଦ ନାଗ, ବିଡିଓ ଅଜୟ ପ୍ରଧାନ, ଟାଟା କମ୍ପାନୀ ନିର୍ବାହୀ ଅଧିକାରୀ ପ୍ରତାପ କେଶରୀ ନାୟକଙ୍କ ସହ ଭାଜପା କର୍ମକର୍ତ୍ତାମାନେ ଦୀପକଙ୍କୁ ରାସ୍ତାରେ ଅଟକାଇ ବୁଝାଶୁଝା କରିଥିଲେ। ଦୀପକ ନ ଶୁଣିବାରୁ ପୋଲିସ, ଟାଟା କମ୍ପାନୀ କର୍ମଚାରୀ ଆମ୍ବୁଲାନ୍ସ ମଗାଇ ଦୀପକଙ୍କ ମା’ଙ୍କୁ ନେଇ ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏ ସମ୍ପର୍କରେ ଟାଟା ନିର୍ବାହୀ ଅଧିକାରୀ କହିଛନ୍ତି ଯେ, ଦୀପକଙ୍କ ପମ୍ପ ଲାଇନର ବକେୟା ବାକି ଥିଲା। ତାଙ୍କ ପମ୍ପ ଲାଇନ ସହ ଘର ଲାଇନ ସଂଯୋଗ ଜଡିତ ଥିବାରୁ ପମ୍ପ ଲାଇନ କଟିବାରୁ ଘରର ଲାଇନ କଟିଯାଇଥିଲା। ଏ ବିଷୟରେ ଜାଣିବା ପରେ କର୍ମଚାରୀମାନେ ଲାଇନ ସଂଯୋଗ ଦେବାକୁ ଦୀପକଙ୍କ ଘରକୁ ଦୁଇ ଚାରି ଥର ଯାଇଥିଲେ ମଧ୍ୟ ଦୀପକ କର୍ମଚାରୀଙ୍କୁ ଲାଇନ ସଂଯୋଗ କରିବାକୁ ଦେଇ ନ ଥିଲେ। ଏଥିରେ ଆମର କିଛି ଭୁଲ୍‌ ନାହିଁ। ଆମେ ଏବେ ମଧ୍ୟ ତାଙ୍କୁ ବିଦ୍ୟୁତ୍‌ ସଂଯୋଗ ଦେବାକୁ ପ୍ରସ୍ତୁତ ଅଛୁ ବୋଲି ନିର୍ବାହୀ ଅଧିକାରୀ ନାୟକ କହିଛନ୍ତି।

Share