ସ୍ୱାସ୍ଥ୍ୟକେନ୍ଦ୍ରକୁ ବାଟ ଖୋଜୁଛନ୍ତି ରୋଗୀ

ଅନୁଗୋଳ ଅଫିସ, ୨୧।୫ ଅନୁଗୋଳ ସ୍ୱାସ୍ଥ୍ୟସେବାର ପ୍ରାଣକେନ୍ଦ୍ର କୁହାଯାଉଥିବା ଜିଲା ଚିକିତ୍ସାଳୟ ଭିତରକୁ ପ୍ରବେଶ କରିବାକୁ ବାଟ ଖୋଜୁଛନ୍ତି ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ। କିଏ ବାଟବଣା ହୋଇ ବସ୍‌ଷ୍ଟାଣ୍ଡ ଆଡ଼କୁ ପଳାଉଛନ୍ତି ତ ଆଉ କିଏ ସ୍ୱାସ୍ଥ୍ୟକେନ୍ଦ୍ର ଚାରିପଟେ ଘୂରି ବୁଲୁଛନ୍ତି। ମେଡିକାଲ ମୁଖ୍ୟ ଫାଟକରେ ୭ଦିନ ହେବ ତାଲା ପଡ଼ିଥିବାରୁ ଏଭଳି ସମସ୍ୟା ଉପୁଜିଛି। ତାଲା କେବେ ଖୋଲିବ, ତାହାକୁ ନେଇ ଅନିଶ୍ଚିତତା ଲାଗି ରହିଥିବାବେଳେ ଦହଗଞ୍ଜ ହେଉଛନ୍ତି ରୋଗୀ।
ଗତ ରବିବାର ଜିଲା ଚିକିତ୍ସାଳୟରେ ମୁଖ୍ୟ ଫାଟକରୁ ପଲସ୍ତରା ଖସିଥିଲା। ଏହାପରେ ବିପଦ ଆଶଙ୍କା ଦର୍ଶାଇ ମୁଖ୍ୟ ଫାଟକରେ ତାଲା ପକାଇ ଦିଆଯାଇଛି। ‘ମେଡିକାଲ ମୁଖ୍ୟ ଫାଟକ ବନ୍ଦ ଅଛି। ପଛପାର୍ଶ୍ୱରେ ଯାତାୟାତ କରନ୍ତୁ’ ବୋଲି ଲେଖି ଏକ କାଗଜ ମରାଯାଇଛି। ହେଲେ ଏହାର ସୁଚିନ୍ତିତ ବିକଳ୍ପ ବ୍ୟବସ୍ଥା କରାଯାଇନାହିଁ। ଜରୁରୀ ସମୟରେ ରୋଗୀ ଆସିଲେ ମେଡିକାଲ ଭିତରକୁ କିପରି ଯିବେ, ତାହାକୁ ନେଇ ଚିନ୍ତାରେ ପଡୁଛନ୍ତି। ଅନ୍ୟପଟେ ଛାତରୁ ପଲସ୍ତରା ଖସିବା ପରେ ମେଡ଼ିକାଲ କର୍ତ୍ତୃପକ୍ଷ ପୌରପାଳିକାକୁ ଚିଠି କରିଛନ୍ତି। ଆବଶ୍ୟକ ମରାମତି ଏବଂ ଅନ୍ୟ ସମସ୍ୟାର ସମାଧାନ କରିବାକୁ ଏଥିରେ ଉଲ୍ଲେଖ କରିଛନ୍ତି। ଚିଠି ପାଇବା ପରେ ପୌର କର୍ତ୍ତୃପକ୍ଷ ଘଟଣାର ଅନୁଧ୍ୟାନ କରିଛନ୍ତି। ତେବେ ଫାଟକରେ ଅବ୍ୟବସ୍ଥା ସାମ୍ନାକୁ ଆସିଛି। ମୁଖ୍ୟ ଫାଟକ ଉପରେ ଏକ ଆଜବେଷ୍ଟସ୍‌ ଗୃହ ରହିଛି। ଏହାକୁ ନିର୍ମାଣ ପାଇଁ କିପରି ଅନୁମତି ପ୍ରଦାନ କରାଗଲା, ତାହାକୁ ନେଇ ଖୋଳତାଡ଼ କରିଛନ୍ତି। ଖୁବ୍‌ଶୀଘ୍ର ପଦକ୍ଷେପ ଗ୍ରହଣ କରି ସମସ୍ୟାର ସମାଧାନ କରାଯିବ ବୋଲି ଜଣେ ପଦସ୍ଥ ଅଧିକାରୀ କହିଛନ୍ତି।
ପୂର୍ବରୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଜନପ୍ରତିନିଧି ଏବଂ ପ୍ରଶାସନର ପଦସ୍ଥ ଅଧିକାରୀ ପରିଦର୍ଶନ କରିଥିବାବେଳେ ଏହି ଅବ୍ୟବସ୍ଥା ସେମାନଙ୍କୁ ବିବ୍ରତ କରିଥିଲା। ଉକ୍ତ ଦୋକାନକୁ ଉଚ୍ଛେଦ କରିବାକୁ ସେମାନେ ନିର୍ଦ୍ଦେଶ ଦେଇଥିଲେ। ଏହାସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଏପଟେ ମୁଖ୍ୟଫାଟକ ଖୋଲିବା ଯାଏ ସେଠାରେ ରୋଗୀଙ୍କୁ ସୂଚନା ଦେବା ପାଇଁ ଜଣେ କର୍ମଚାରୀଙ୍କୁ ନିୟୋଜିତ କରିବାକୁ ସାଧାରଣରେ ଦାବି ହୋଇଛି।

Share