ଲକ୍ଷ୍ନୌ,୨୨ା୧୦: ବ୍ଲଡ୍ ପ୍ଲାଜ୍ମା (ରକ୍ତ କଣିକାରେ ଥିବା ରଙ୍ଗହୀନ ଅଂଶ)କୁ ପ୍ଲାଟେଲେଟ୍ (ରକ୍ତାଣୁଚକ୍ରିକା) କହି ବିକ୍ରି କରିବା ଅଭିଯୋଗରେ ଉତ୍ତର ପ୍ରଦେଶର ପ୍ରୟାଗରାଜ ପୋଲିସ ଶୁକ୍ରବାର ୧୦ ଜଣଙ୍କୁ ଗିରଫ କରିଛି। ବ୍ଲଡ୍ରେ ଥିବା ପ୍ଲାଜ୍ମା ଓ ପ୍ଳେଟ୍ଲେଟ ଉଭୟ ମଣିଷ ରକ୍ତର ଉପାଦାନ ହୋଇଥିଲେ ହେଁ ଉଭୟଙ୍କ ବ୍ୟବହାର ଅଲଗା। ଡେଙ୍ଗୁ ରୋଗୀଙ୍କ କ୍ଷେତ୍ରରେ ପ୍ଲାଟେଲେଟ୍ ବ୍ୟବହାର କରାଯାଏ। ପ୍ରୟାଗରାଜ ଡାକ୍ତରଖାନରେ ଡେଙ୍ଗୁ ରୋଗୀଙ୍କୁ ପ୍ଲାଟେଲେଟ୍ ବଦଳରେ ମୌସମ୍ବି (ଦେଶୀ କମଳା) ଜୁସ୍ ଦେବା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଖବର ପ୍ରକାଶ ପାଇଥିଲା। ଡାକ୍ତରଙ୍କ ପରାମର୍ଶ କ୍ରମେ ରୋଗୀଙ୍କୁ ପ୍ଲାଟେଲେଟ୍ ଦେବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ି ଯାଇଥିଲା। ପରେ ପରିବାର ଲୋକେ ଏକ ଘରୋଇ ହସ୍ପିଟାଲ୍କୁ ନେଇଥିବାବେଳେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ରୋଗୀଙ୍କୁ ପ୍ଲାଜ୍ମା ବଦଳରେ ମୌସମ୍ବି ଜୁସ୍ ତଥା କେମିକାଲ ମିଶ୍ରିତ ମିଠା ତରଳ ପଦାର୍ଥ ଦିଆଯାଇଥିବା ଘରୋଇ ହସ୍ପିଟାଲ ଡାକ୍ତର ସ୍ପଷ୍ଟ କରିବାପରେ ମୃତକଙ୍କ ପରିବାର କାର୍ଯ୍ୟାନୁଷ୍ଟାନ ଦାବି କରିଛି। ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକଙ୍କ ନିର୍ଦ୍ଦେଶକ୍ରମେ ଉକ୍ତ ଡାକ୍ତରଖାନାକୁ ସିଲ୍ କରାଯିବା ସହ ପ୍ଲାଟେଲେଟ୍ ବ୍ୟାଗ୍କୁ ପରୀକ୍ଷା ପାଇଁ ଲାବ୍ ପଠାଯାଇଥିଲା।