ଏସ୍‌ସିବିରେ ଏକ୍‌ମୋ ଚିକିତ୍ସା ବେଳେ ଗଲା ରୋଗୀଙ୍କ ଜୀବନ

କଟକ ଅଫିସ, ୧ା୧୦: ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲର ଏକ୍‌ମୋ ୟୁନିଟ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ରୋଗୀଙ୍କ ଗୁରୁବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ସେ ହେଲେ ଏସ୍‌ସିବି ମେଡିକାଲ ନ୍ୟୁରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଅଶୋକ ମଲ୍ଲିକଙ୍କ ପୁଅ ଚର୍ଚ୍ଚିତ ମଲ୍ଲିକ(୧୮)। ପୂର୍ବରୁ ଚର୍ଚ୍ଚିତଙ୍କର ଫୁସ୍‌ଫୁସ୍‌ ଓ କିଡ୍‌ନୀ ସମସ୍ୟା ରହିଥିଲା। ଚିକିତ୍ସା ଲାଗି ତାଙ୍କୁ ଗତ ୨୫ ତାରିଖରେ ଏସ୍‌ସିବିର ଏକ୍‌ମୋ ୟୁନିଟ୍‌ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଏସ୍‌ସିବି ମେଡିକାଲର ଜରୁରିକାଳୀନ ଅଧିକାରୀ ଡା. ଭୁବନାନନ୍ଦ ମହାରଣା କହିଛନ୍ତି। ସେହିପରି ଯାଜପୁର ଜିଲା ଡୁବୁରି ଅଞ୍ଚଳର ଜଣେ ରୋଗୀ କରୋନାରେ ଆକ୍ରାନ୍ତ ହୋଇ ସ୍ଥାନୀୟ ଟାଟା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କର ହଠାତ୍‌ ହୃଦ୍‌ସ୍ପନ୍ଦନ ବନ୍ଦ ହୋଇଯିବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ୯ ଦିନ ତଳେ ଏସ୍‌ସିବି ଏକ୍‌ମୋ ୟୁନିଟ୍‌ରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଡା. ମହାରଣା କହିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ଏସ୍‌ସିବି ଏକ୍‌ମୋ ୟୁନିଟ୍‌ରେ ଚିକିତ୍ସିତ ହେଉଥିବା ୪ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି।

Share