ଭାରରେ ବୁହାହେଲେ ରୋଗୀ

ମାଲକାନଗିରି,୧୩।୧(ଡି.ଏନ.ଏ.)  ମାଲକାନଗିରି ଜିଲାରେ ପୁଣି ଦେଖିବାକୁ ମିଳିଛି ସ୍ବାସ୍ଥ୍ୟସେବାର କରୁଣ ଚିତ୍ର। ରାସ୍ତା ଖରାପ ଯୋଗୁ ଗ୍ରାମକୁ ୧୦୮ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ରୋଗୀଙ୍କୁ ଭାରରେ ବୋହି ଡାକ୍ତରଖାନା ଆଣିବା ପରି ଦୃଶ୍ୟ ଦେଖିବାକୁ ମିଳିଛି। ଜିଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟିର ଚେପୁଲପଡା ଗ୍ରାମରେ ଏପରି ଘଟିଛି। ବଣ୍ଡାଘାଟିର ଚେପୁଲପଡା ଗ୍ରାମର ଗୋବର୍ଦ୍ଧନ ଖିଲଙ୍କର ଗଛରୁ ପଡ଼ି ଗୋଡ଼ ଭାଙ୍ଗିଯାଇଥିଲା। ଏଥିରେ ସେ ଗୁରୁତର ହୋଇଥିଲେ। ଗ୍ରାମକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଯାଇପାରି ନ ଥିଲା। ଫଳରେ ଗୋବର୍ଦ୍ଧନଙ୍କୁ ଘଞ୍ଚ ଜଙ୍ଗଲ ରାସ୍ତାରେ ଭାର କରି ଗ୍ରାମବାସୀ ଡାକ୍ତରଖାନା ନେଇଥିଲେ। ବିକାଶର କଥା କହୁଥିବା ସରକାରଙ୍କ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ରାସ୍ତାଘାଟ ପ୍ରତି କିପରି ଦୃଷ୍ଟିି ପଡୁନି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜିଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି।