୩ ଶହ ବର୍ଷର ପତିରାଜପୁର ଦୋଳମେଳନ

ଖଇରା, ୭।୩(ଡି.ଏନ.ଏ.): ବାଲେଶ୍ୱର ଜିଲା ଅଧୀନ ଖଇରା ବ୍ଲକର ପତିରାଜପୁରଠାରେ ୩ଶହ ବର୍ଷ ଧରି ପାଳିତ ହୋଇଆସୁଥିବା ପ୍ରସିଦ୍ଧ ଦୋଳମେଳନ ଆରମ୍ଭକୁ ଆଉ ମାତ୍ର ଗୋଟିଏ ଦିନ ଥିବା ବେଳେ ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ା ରାଜ୍ୟର ବିଭିନ୍ନ ସ୍ଥାନରୁ ବ୍ୟବସାୟୀମାନେ ପସରା ମେଲିବାକୁ ଆରମ୍ଭ କରିଛନ୍ତି। ମଣ୍ଡପରେ ଆଲୋକମାଳା ଝଲସିଲାଣି ା ୧୫ଦିନ ମେଳା ବସିବାକୁ ନେଇ ପ୍ରଶାସନିକ ଅନୁମତି ମିଳିସାରିଥିବା ବେଳେ ଦର୍ଶକଙ୍କ ଭିଡକୁ ଦୃଷ୍ଟିରେ ରଖାଯାଇ ପାନୀୟଜଳ, ପରିମଳ, ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ଆଦି ବ୍ୟବସ୍ଥା କରାଯାଇଛି ା ପୂର୍ଣ୍ଣମୀ ରାତିରେ ଭିଡ ନିୟନ୍ତ୍ରଣ ଲାଗି ଖଇରା ପୋଲିସର ସହଯୋଗ ଲୋଡାଯାଇଛି ା ବିମାନରେ ଦିଅଁ ଦର୍ଶନ ଲାଗି ହଜାର ହଜାର ଭକ୍ତ ଉତ୍ସୁକତାର ସହ ଚାହିଁ ବସିଛନ୍ତି। ଏ ସଂକ୍ରାନ୍ତରେ ଏକ ଖବରଦାତା ସମ୍ମିଳନୀ ରବିବାର ଅପରାହ୍ନରେ ଗୋଳିହା ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ପିତାମ୍ବର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ସାଧାରଣ ସମ୍ପାଦକ ଭରତ ଚନ୍ଦ୍ର ରାଉତ, ସମ୍ପାଦକ ଗୌରାଙ୍ଗ ପାଣି, ସରପଞ୍ଚ ପ୍ରତିନିଧି ସମ୍ପଦ ଘଡେଇ, ଚାରଣ ଗୋଷ୍ଠୀର ସଭାପତି ରାମଚନ୍ଦ୍ର ପଣ୍ଡା, ସମ୍ପାଦକ ନିର୍ମଳ କୁମାର ପଣ୍ଡା, ସଂଯୋଜକ ବୁଦ୍ଧିରାମ ପାଣିଗ୍ରାହୀ ଉପସ୍ଥିତ ରହି ମେଳା ତଥା ଜଗନ୍ନାଥ କଥାମୃତ ଶିକ୍ଷାଶିବିର ଉପରେ ବିବରଣୀ ପ୍ରଦାନ କରିଥିଲେ। ଚଳିତବର୍ଷ ଦିଘି ପୋଖରୀର ସୌନ୍ଦର୍ଯ୍ୟକରଣ ବୋଟିଂ ବ୍ୟବସ୍ଥା ସହ ରୁଚିଗୋଲ୍ଡ ଆନୁକୂଲ୍ୟରେ ହେବାକୁ ଥିବା ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ୧୯ ଓ ୨୦ତାରିଖ ୨ଦିନ ଧରି ଚାରଣ ଗୋଷ୍ଠୀ ପୁରୀ ଆନୁକୂଲ୍ୟରେ ପ୍ରବଚନ, ଜଗନ୍ନାଥ କଥାମୃତ ସାଙ୍ଗକୁ ଜଗନ୍ନାଥଙ୍କ ୮ ବେଶ ପ୍ରଦର୍ଶନ ଉପରେ ସଭାପତି ସମ୍ପାଦକ ଆଲୋଚନା ରଖିଥିଲେ। ୨୦ତାରିଖ ସନ୍ଧ୍ୟାରେ ସଂସ୍କୃତି ବିଭାଗ ପକ୍ଷରୁ ଭଜନ ସନ୍ଧ୍ୟା ଆୟୋଜିତ ହେବା ସାଙ୍ଗକୁ ଦର୍ଶକଙ୍କ ମନୋରଞ୍ଜନ ଲାଗି ଅପେରା ମଞ୍ଚସ୍ଥ ହେବା ସମ୍ପର୍କରେ କର୍ମକର୍ତ୍ତାମାନେ ସମ୍ମିଳନୀରେ ସୂଚନା ଦେଇଥିଲେ ା