ତାରାତାରିଣୀ ପୀଠକୁ ପତିତ ପାବନ ପଦଯାତ୍ରା

ଛତ୍ରପୁର,୧୨।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ସହରର ତାଡେପଲ୍ଲୀ ସାହିସ୍ଥିତ ଜଗନ୍ନାଥ ମନ୍ଦିରଠାରୁ ତାରାତାରିଣୀଙ୍କ ପୀଠଯାଏ ଏକ ଆଧ୍ୟାତ୍ମିକ ପଦଯାତ୍ରାର ଆୟୋଜନ କରାଯାଇଛି। ୧୯୭୭ ମସିହାରେ ଏହି ମନ୍ଦିର ପକ୍ଷରୁ ପୁରୀ ଶ୍ରୀମନ୍ଦିର ପର୍ଯ୍ୟନ୍ତ ହୋଇଥିବା ଐତିହାସିକ ପତିତ ପାବନ ପଦଯାତ୍ରାର ସ୍ମରଣପୂର୍ବକ ଆୟୋଜିତ ଏହି ପଦଯାତ୍ରାରେ ଶତାଧିକ ପୁରୁଷ ଓ ମହିଳା ଭକ୍ତ ସାମିଲ ହୋଇଛନ୍ତି। ପ୍ରତ୍ୟୁଷରୁ ଛତ୍ରପୁରର ଜଗନ୍ନାଥ ମନ୍ଦିରଠାରେ ପାରମ୍ପରିକ ପୂଜାର୍ଚ୍ଚନା ପରେ ଜଗନ୍ନାଥଙ୍କ ମୂର୍ତ୍ତି ଥିବା ଏକ ରଥକୁ ଭକ୍ତମାନେ ଟାଣି ନେଇଥିଲେ। ଚଳିତ ବର୍ଷ ୫ମ ଥର ପାଇଁ ଏଭଳି ଯାତ୍ରାର ଆୟୋଜନ କରାଯାଇଥିବା ବେଳେ ପୂର୍ବରୁ ୧୯୮୦ରେ ପୁରୀ, ୧୯୮୫ରେ କଣ୍ଟିଲୋ, ୨୦୧୯ରେ ପଞ୍ଚମାକୁ ଏଭଳି ଯାତ୍ରାର ଆୟୋଜନ ହୋଇଥିଲା। ମନ୍ଦିର ପରିଚାଳକ ଜଗବନ୍ଧୁ ପାଣିଗ୍ରାହୀ, ଆଦିକନ୍ଦ ପାଣିଗ୍ରାହୀଙ୍କ ସମେତ ସୁଧୀର ରଥ, ପ୍ରଭାକର ରାଓ, ବିଜୟ ମହାରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Share