Categories: ଜାତୀୟ

ହାତରେ ଜାତୀୟ ପତାକା ଧରିଥିବା ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଲେ ଅତିରିକ୍ତ ଜିଲାପାଳ: ତଦନ୍ତ ନିର୍ଦ୍ଦେଶ

ପାଟନା,୨୨।୮: ବିହାରରେ ଶିକ୍ଷକ ନିଯୁକ୍ତି ବିଳମ୍ବକୁ ନେଇ ଶହ ଶହ ଆଶାୟୀ ସୋମବାର ପାଟନାରେ ବିକ୍ଷୋଭ କରୁଥିବା ବେଳେ ସେମାନଙ୍କୁ ଘଉଡ଼ାଇବାକୁ ଯାଇ ପୋଲିସ ଲାଠିଚାଳନା କରିବା ସହ ପାଣିମାଡ଼ କରିଛି। ଏପରିକି ଜାତୀୟ ପତାକା ଧରିଥିବା ଜଣେ ନିଯୁକ୍ତି ଆଶାୟୀ ତଳେ ପଡ଼ିଯାଇଥିବା ବେଳେ ତାଙ୍କୁ ପାଟନା ଅତିରିକ୍ତ ଜିଲାପାଳ କେ.କେ. ସିଂ ଲାଠିରେ ପିଟୁଥିବାର ଭିଡିଓ ଭାଇରାଲ ହୋଇଛି। ପରେ ସିଂ ଉକ୍ତ ପ୍ରାର୍ଥୀଙ୍କୁ ଘୋଷାଡ଼ୁଥିବା ଦେଖାଯାଇଛି। ଏହାକୁ ବିଭିନ୍ନ ମହଲରୁ ନିନ୍ଦା କରାଯିବା ପରେ ପାଟନା ଜିଲାପାଳ ଚନ୍ଦ୍ରଶେଖର ସିଂ ଏହାର ତଦନ୍ତ ପାଇଁ ଏକ ତଦନ୍ତ କମିଟି ଗଠନ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟକୁ ନେଇ ଜିଲାପାଳ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ କହିଛନ୍ତି। ଜିିଲାପାଳଙ୍କ କହିବା ଅନୁଯାୟୀ, ଶିକ୍ଷକ ଯୋଗ୍ୟତା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଗୋଟିଏ ଗୋଷ୍ଠୀ ପ୍ରାର୍ଥୀ ତୁରନ୍ତ ନିଯୁକ୍ତି ଦାବିରେ ରାଲିରେ ବାହାରିଥିବା ବେଳେ ଡାକବଙ୍ଗଳା ଛକ ନିକଟରେ ଜନ ଅଧିକାର ପାର୍ଟିର କର୍ମୀମାନେ ସେମାନଙ୍କ ସହ ମିଶି ରାଜଭବନ ଅଭିମୁଖେ ଅଗ୍ରସର ହେବାରୁ ସମସ୍ୟା ସୃଷ୍ଟି ହୋଇଥିଲା। ଏତେସଂଖ୍ୟାରେ ଲୋକଙ୍କୁ ରାଜଭବନ ଆଡ଼େ ଯିବାକୁ ଦିଆ ନ ଯାଇ ସେମାନଙ୍କର ଏକ ୫ ଜଣିଆ ପ୍ରତିନିଧି ଦଳ ପଠାଇବାକୁ ପରାମର୍ଶ ଦିଆଯାଇଥିଲା। ଏହି ସମୟରେ ଉପଜିଲାପାଳ ଲାଠିରେ ଜଣେ ପ୍ରାର୍ଥୀଙ୍କୁ ପିଟୁଥିବାର ଏକ ଭିଡିଓ ଭାଇରାଲ ହେବା ପରେ ଉତ୍ତେଜନା ଦେଖାଯାଇଥିଲା। ଅନ୍ୟପଟେ ଶାସକ ଦଳରେ ସହଯୋଗୀ ଥିବା କଂଗ୍ରେସ ମଧ୍ୟ ଉକ୍ତ ଘଟଣାକୁ ନିନ୍ଦା କରିଛି।

Share