Categories: ଜାତୀୟ

ସିବିଆଇ କୋର୍ଟରୁ ଲାଲୁଙ୍କୁ ଆଶ୍ୱସ୍ତି: ଚିକିତ୍ସା ପାଇଁ ଯାଇପାରିବେ ସିଙ୍ଗାପୁର

ପାଟନା,୨।୮: ବିହାର ରାଜଧାନୀ ପାଟନା ହାଇକୋର୍ଟ ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ବର୍ତ୍ତମାନ ସେ ଚିକିତ୍ସା ପାଇଁ ସିଙ୍ଗାପୁର ଯାଇପାରିବେ। ମଙ୍ଗଳବାର ସିବିଆଇ କୋର୍ଟ ତାଙ୍କୁ ସିଙ୍ଗାପୁର ଯିବା ପାଇଁ ଏବଂ ପାସପୋର୍ଟର ନବୀକରଣ ଲାଗି ଅନୁମତି ଦେଇଛନ୍ତି। ଲାଲୁ ଯାଦବଙ୍କ ଓକିଲ ସୁଧୀର କୁମାର ସିହ୍ନାଙ୍କ ଆବେଦନ ଉପରେ ସିବିଆଇ କୋର୍ଟର ସ୍ବତନ୍ତ୍ର ବିଚାରପତି ମହେଶ କୁମାର ଏହି ଅନୁମତି ଦେଇଛନ୍ତି। ସେ ଲାଲୁ ଯାଦବଙ୍କ ପାସପୋର୍ଟର ନବୀକରଣ କରିବା ଲାଗି ଅନୁମତି ପାଇଁ କୋର୍ଟରେ ଆବେଦନ କରିଥିଲେ। ଏହାପୂର୍ବରୁ ଜୁନ ୧୪ରେ ଲାଲୁ ଯାଦବଙ୍କୁ ବିଦେଶ ଯିବାକୁ ରାଞ୍ଚି ସିବିଆଇ କୋର୍ଟରୁ ଅନୁମତି ମିଳିସାରିଛି। ସୂଚନାଯୋଗ୍ୟ, ଲାଲୁ ପ୍ରସାଦ ଯାଦବ ଗତ ଏକ ବର୍ଷ ଧରି ସିଙ୍ଗାପୁରର ଡାକ୍ତରଙ୍କ ସହ ଯୋଗାଯୋଗରେ ଅଛନ୍ତି। ଗତ ବର୍ଷ ନଭେମ୍ବରରେ ମଧ୍ୟ ସିଙ୍ଗାପୁରରେ ତାଙ୍କର କିଡନୀ ପ୍ରତିରୋପଣ କରାଯାଇପାରିବ ବୋଲି ଆଲୋଚନା ହେଉଥିଲା। ଲାଲୁ ଅନେକ ରୋଗରେ ପୀଡିତ, ଯେଉଁଥିରେ ତାଙ୍କର ସବୁଠାରୁ ବଡ ସମସ୍ୟା ହେଉଛି ଟାଇପ-୨ ମଧୁମେହ ଏବଂ ରକ୍ତଚାପ। ତାଙ୍କୁ ଚିକିତ୍ସା କରୁଥିବା ଉଭୟ ବରିଷ୍ଠ ଡାକ୍ତରଙ୍କ ଅନୁଯାୟୀ ଲାଲୁ ପ୍ରସାଦ ୧୫ଟି ରୋଗରେ ପୀଡିତ ଅଛନ୍ତି। ସେମାନଙ୍କ ମଧ୍ୟରେ ସବୁଠାରୁ ବଡ଼ ଚିନ୍ତା ହେଉଛି ତାଙ୍କର ଅନିୟନ୍ତ୍ରିତ ମଧୁମେହ, ଯାହା ଇନ୍‌ସୁଲିନ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ।

Share