ଜୀବିତ ବ୍ୟକ୍ତିଙ୍କ ଡେଥ୍‌ ସାର୍ଟିଫିକେଟ…

ପାଟନା,୧୨।୪: ଦେଶରେ କରୋନା ଆତଙ୍କ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଶ୍ମଶାନ ଘାଟରେ ମଧ୍ୟ ଏହାର ଲମ୍ବା ଲାଇନ୍‌ ଦେଖିବାକୁ ମିଳୁଛି। କରୋନାକୁ ନେଇ ଯେଉଁଠି ଲୋକମାନଙ୍କୁ ଅତ୍ୟଧିକ ସଜାଗ, ସଚେତନତା ରହିବା ଜରୁରୀ ହୋଇପଡ଼ିଛି ସେଠାରେ କେତେକ ହସ୍ପିଟାଲରୁ ଅବହେଳା ଘଟଣା ସାମ୍ନାକୁ ଆସିଛି। ଜଣେ ଜୀବିତ ବ୍ୟକ୍ତିଙ୍କ ଡେଥ୍‌ ସାର୍ଟିଫିକେଟ ବାହାର କରି ତାଙ୍କ ପରିବାରବର୍ଗଙ୍କୁ ମୃତଦେହକୁ ହସ୍ତାନ୍ତର କରାଯାଇଥିଲା। ହେଲେ ଅନ୍ତିମ ସଂସ୍କାର ସମୟରେ ଜଣାପଡ଼ିଲା ଯେ, ଉକ୍ତ ବ୍ୟକ୍ତି ନିଜ ଲୋକ ନୁହଁନ୍ତି। ଏଭଳି ଘଟଣା ଘଟିଛି ବିହାରର ପାଟନାରେ। ସୂଚନାଯୋଗ୍ୟ, ପାଟନା ଜିଲାର ମହମଦପୁର ଗାଁର ଚୁନୁ କୁମାର ନାମକ ଜଣେ ବ୍ୟକ୍ତି ଏପ୍ରିଲ ୯ରେ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯାଇଥିଲା। ଏହାପରେ ତାଙ୍କୁ ପାଟନା ମେଡିକାଲ କଲେଜ ହସ୍ପିଟାଲ(ପିଏମସିଏଚ୍‌)ରେ ଭର୍ତ୍ତି କରାଯାଇଥିଲା। ହେଲେ ଏପ୍ରିଲ ୧୧ରେ ହସ୍ପିଟାଲ ପକ୍ଷରୁ ତାଙ୍କୁ ମୃତ ଘୋଷଣା କରାଯାଇ ତାଙ୍କର ଡେଥ୍‌ ସାର୍ଟିଫିକେଟ ସହ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ହେଲେ ଅନ୍ତିମ ସଂସ୍କାର ବେଳେ ଚୁନୁଙ୍କ ପୁଅ ବାପାଙ୍କୁ ଦେଖିବାକୁ ଇଛା ପ୍ରକାଶ କରିଥିଲେ। ସେହି ସମୟରେ ପିପିଇ କିଟ୍‌ରେ ବନ୍ଧା ଥିବା ବ୍ୟକ୍ତି ତାଙ୍କ ବାପା ନୁହଁନ୍ତି ବୋଲି ଜାଣିବାକୁ ପାଇଥିଲେ। ଏହାପରେ ସେ ପୁଣିଥରେ ହସ୍ପିଟାଲକୁ ଯାଇଥିଲେ। ସେଠାକୁ ଗଲା ବେଳକୁ ଜଣାପଡ଼ିଲା ଯେ, ଚୁନୁ କୁମାର ଜୀବିତ ଅଛନ୍ତି। ଏହି ଘଟଣାକୁ ପାଟନା ଜିଲାଧିକାରୀ ଚନ୍ଦ୍ରଶେଖର ସିଂହ ଗମ୍ଭୀରତାର ସହ ନେଇଛନ୍ତି। ଉକ୍ତ ଘଟଣାର ଯାଞ୍ଚ କରାଯାଇ ୨୪ଘଣ୍ଟା ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ପିଏମ୍‌ସିଏଚ୍‌ ହସ୍ପିଟାଲକୁ ସେ ଚିଠି ଲେଖିଛନ୍ତି। ଏଥିସହ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲାଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି।

Share