ସୁଶାନ୍ତଙ୍କ ଏକ୍ସଗର୍ଲଫ୍ରେଣ୍ଡଙ୍କ ବୟାନ ରେକର୍ଡ କଲା ପାଟନା ପୋଲିସ

ମୁମ୍ବାଇ,୨୯।୭: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଦେଢ଼ମାସ ବିତିଯାଇଛି। ହେଲେ ଏଯାଏଁ ତାଙ୍କ ମୃତ୍ୟୁ ପଛର ରହସ୍ୟ ଉପରୁ ପର୍ଦ୍ଦା ଉଠାଇ ପାରିନ ପୋଲିସ। ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ଓ ବିହାର ପୋଲିସ ଯାଞ୍ଚ କରୁଛି। ସୁଶାନ୍ତଙ୍କ ମାମଲାରେ ମୁମ୍ବାଇ ପୋଲିସ ଏଯାଏଁ ୪୦ରୁ ଊର୍ଦ୍ଧ୍ୱ ଲୋକଙ୍କ ବୟାନ ରେକର୍ଡ କରିସାରିଲାଣି। ଅନ୍ୟପଟେ ମଙ୍ଗଳବାର ସୁଶାନ୍ତଙ୍କ ବାପା କେ.କେ. ସିଂହ ଅଭିନେତ୍ରୀ ରିୟାଙ୍କ ବିରୋଧରେ ଅଭିଯୋଗ ଆଣି ବିହାର ଥାନାରେ ଏକ ଏତଲା ରୁଜୁ କରିଛନ୍ତି। ଏବେ ବିହାର ପୋଲିସ ଏହି ମାମଲାର ଯାଞ୍ଚ କରିବ। ଇତିମଧ୍ୟରେ ଅଭିନେତ୍ରୀ ତଥା ସୁଶାନ୍ତଙ୍କ ଏକ୍ସଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖାଣ୍ଡେଙ୍କ ବୁଧବାର ବିହାର ପୋଲିସ ବୟାନ ରେକର୍ଡ କରିଥିବା ଜଣାପଡ଼ିଛି। ଅଙ୍କିତା ଓ ସୁଶାନ୍ତ ଟିଭି ସିରିୟଲ୍‌ ପବିତ୍ର ରିସ୍ତାରୁ ନିଜର ପରିଚୟ ସୃଷ୍ଟି କରିଥିବା ବେଳେ ଅନେକ ବର୍ଷ ଯାଏ ଦୁହେଁ ରିଲେସନ୍‌ସିପ୍‌ରେ ଥିଲେ। ଏଭଳି ସ୍ଥିତିରେ ଅଙ୍କିତାଙ୍କ ବୟାନ ବିହାର ପୋଲିସ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।

Share