Advertisement

ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: ଶେଷ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ

ପାଟଣାଗଡ଼,୧୬ା୨(ସଚ୍ଚିଦାନନ୍ଦ ମହାକୁର): ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଶନିବାର ସାକ୍ଷ୍ୟ ଗ୍ରହଣ ଶେଷ ହୋଇଛି। ଶେଷ ସାକ୍ଷୀ ଭାବେ ତତ୍କାଳୀନ କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସ୍‌ପି ତଥା ତଦନ୍ତକାରୀ ଅଧିକାରୀ ଅନିଲ କୁମାର ଦାସଙ୍କ ଶନିବାର ରାତିରେ ସାକ୍ଷ୍ୟ ଗ୍ରହଣ ଶେଷ କରାଯାଇଥିଲା। ଗତ ୪ ଦିନ ଧରି ସାକ୍ଷ୍ୟ ଗ୍ରହଣ ସରକାରୀ ଓକିଲ ଚିତ୍ତରଞ୍ଜନ କାନୁନ୍‌ଗୋଙ୍କ ଉପସ୍ଥିତିରେ କରାଯାଇଥିଲା। ଏହି ସମୟରେ ମୃତ ସୌମ୍ୟ ଶେଖର ସାହୁଙ୍କ ବାପା ରବୀନ୍ଦ୍ର ସାହୁ ଅଦାଲତରେ ଉପସ୍ଥିତ ଥିଲେ। ସାହୁଙ୍କ କହିବା ଅନୁଯାୟୀ, ଅଦାଲତ ଉପରେ ତାଙ୍କର ପୂର୍ଣ୍ଣ ଭରସା ରହିଛି। ତାଙ୍କ ପରିବାରକୁ ଉଚିତ ନ୍ୟାୟ ମିଳିବ ବୋଲି କହିଥିଲେ। କ୍ରାଇମବ୍ରାଞ୍ଚର ସରକାରୀ ଓକିଲ ଚିତ୍ତରଞ୍ଜନ କାନୁନ୍‌ଗୋ ଗଣମାଧ୍ୟମକୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ସମସ୍ତ ସାକ୍ଷ୍ୟ ଗ୍ରହଣ ସରିଛି ଶୀଘ୍ର ଅଭିଯୁକ୍ତଙ୍କ ବୟାନ ରେକର୍ଡ ପରେ ଏହି ମାମଲାର ସମାପ୍ତି ଘଟିବ ବୋଲି ସେ କହିଛନ୍ତି । ଅପରପକ୍ଷରେ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ଓକିଲ ପ୍ରମୋଦ ମିଶ୍ର ମାମଲାର ତଦନ୍ତ ଅତ୍ୟନ୍ତ ଦୁର୍ବଳ ଭାବେ କରାଯାଇଥିବା କହିଛନ୍ତି।
ସୂଚନାଯୋଗ୍ୟ, ୨୦୧୮ ଫେବୃଆରୀ ୨୩ରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ସମଗ୍ର ଦେଶକୁ ଚହଲାଇ ଦେଇଥିଲା। ପାଟଣାଗଡ଼ ଜବାହରଲାଲ କଲେଜର ତତ୍କାଳୀନ ଅଧ୍ୟାପକ ରବୀନ୍ଦ୍ର ସାହୁ ଏବଂ ଭଇଁଷା କଲେଜର ତତ୍କାଳୀନ ଅଧ୍ୟକ୍ଷା ସଂଯୁକ୍ତା ସାହୁଙ୍କ ଏକମାତ୍ର ପୁତ୍ର ସୌମ୍ୟଶେଖର ସାହୁଙ୍କ ବିବାହ ଉପହାର ଭାବେ ଆସିଥିବା ଏକ ପାର୍ସଲକୁ ଖୋଲିବାବେଳେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏଥିରେ ନବବିବାହିତ ସୌମ୍ୟଶେଖର ଓ ତାଙ୍କ ଜେଜେମା’ ଜେମାମଣି ସାହୁଙ୍କ ମୃତ୍ୟୁ ଘଟିଥିଲା। ସୌମ୍ୟଶେଖରଙ୍କ ନବବିବାହିତା ସ୍ତ୍ରୀ ରିମାରାଣୀ ଗୁରୁତର ହୋଇଥିଲେ। ଏହି ମାମଲାରେ କ୍ରାଇମବ୍ରାଞ୍ଚ ଭଇଁଷା କଲେଜର ଇଂରାଜୀ ବିଭାଗ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ମୁଖ୍ୟ ଏବଂ ଏକମାତ୍ର ଅଭିଯୁକ୍ତ ଭାବେ ଗିରଫ କରିଥିଲା। ଅଭିଯୁକ୍ତ ପୁଞ୍ଜିଲାଲ ବଲାଙ୍ଗୀର ଜିଲା କାରାଗାରରେ ବିଚାରାଧୀନ କଏଦୀ ଭାବେ ରହିଆସୁଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share