ଚଣ୍ଡିଖୋଲ,୩ା୯(ଡି.ଏନ୍.ଏ.): ଯାଜପୁର ଜିଲା ବଡ଼ଚଣା ବ୍ଲକର ଡ୍ରେନେଜ୍ ଡିଭିଜନ ତରଫରୁ ପାଟନାଳୀ ସଫେଇ ନାମରେ ବ୍ୟାପକ ଅର୍ଥ ହରିଲୁଟ୍ ହୋଇଛି। ଏହି ପାଟନାଳୀଗୁଡ଼ିକ ସାଧାରଣତଃ ଚାଷ ଜମିରୁ ଜଳ ନିଷ୍କାସନ ପାଇଁ ବ୍ୟବହାର ହୋଇଥାଏ। ତେବେ ବିଭାଗ ତରଫରୁ ଏହି କାର୍ଯ୍ୟରେ ଠିକାଦାରଙ୍କୁ ପୋଷିବା ପାଇଁ ଏକ ଅଭିନବ ଯୋଜନା ହୋଇଥିବା ଅଭିଯୋଗ ହୋଇଛି। ବଡ଼ଚଣା ବ୍ଲକର ଅଶିଳା ଡ୍ରେନେଜ୍ ସିଷ୍ଟମ୍ ଏହାର ଉଦାହରଣ ପାଲଟିଛି। ଏହି ପାଟନାଳୀଟି କଟକ ଜିଲା ମାହାଙ୍ଗା ବ୍ଲକର ଦୋବଣ୍ଡିଆ ନିକଟରୁ ବାହାରି ଅଶିଳା ନିକଟ ବିରୂପା ନଦୀରେ ପଡ଼ିଛି। ମାଣ୍ଡୁକା ପଞ୍ଚାୟତର ଭାକୁଡ଼, ଦୌଲତପୁର, ପଦ୍ମନାଭପୁର ଓ ଅଶିଳା ଗ୍ରାମର ଚାଷ ଜମିରୁ ଜଳ ନିଷ୍କାସନ ପାଇଁ ଅଶିଳା ଡ୍ରେନେଜ୍ ସିଷ୍ଟମ ବ୍ୟବହାର ହୋଇଥାଏ। ଚଣ୍ଡିଖୋଲ ସବ୍ଡିଭିଜନ୍ ଅଧୀନରେ ଥିବା ଏହି ପାଟନାଳୀ ଖନନ ଓ ସଫେଇ ଆଳରେ ବ୍ୟାପକ ଅର୍ଥ ହରିଲୁଟ ହେବା ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅଧିକାରରୁ ମିଳିଥିବା ତଥ୍ୟ ଅନୁଯାୟୀ ୨୦୨୦ ଓ ୨୦୨୧ରେ ଏହାର ସଫେଇ ବାବଦରେ ୩୦ ଲକ୍ଷରୁ ଊର୍ଦ୍ଧ୍ୱଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଏବେବି ପାଟନାଳୀରେ ଦଳ ଭର୍ତ୍ତି ହୋଇ ରହିଛି। କୌଣସି ଗୋଟିଏ କାମ ହୋଇ ନ ଥିବା ନେଇ ମାଣ୍ଡୁକା ପଞ୍ଚାୟତ ତରଫରୁ ଅଭିଯୋଗ ହୋଇଛି। ଏହାର ପୁନରୁଦ୍ଧାର ଓ ସଫେଇ ବାବଦରେ ବିଭାଗ ତରଫରୁ ମିଳିଥିବା ତଥ୍ୟ କହୁଛି, ୨୦୨୦ ଜୁଲାଇ ୩ରୁ ୧୭ ତାରିଖ ମଧ୍ୟରେ ୩ଟି ଏଫ୍ଟୁ ଜରିଆରେ ଖର୍ଚ୍ଚ କରାଯାଇଛି। ଠିକାଦାର ସସ୍ମିିତା ମହାନ୍ତିଙ୍କ ନାମରେ ୩ଲକ୍ଷ ୯୮ହଜାର୪ଶହ ୪୨ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ମୁକ୍ତିକାନ୍ତ ବିଶ୍ୱାଳଙ୍କ ନାମରେ ୨ଲକ୍ଷ ୯୭ହଜାର ୨ଶହ ୩୩ଟଙ୍କା ଖର୍ଚ୍ଚ କରାଯାଇଛି। ସେହିଭଳି ପ୍ରକାଶ ଚନ୍ଦ୍ର ରାଉତଙ୍କ ନାମରେ ୪ଲକ୍ଷ ୨୨ହଜାର ୫ଶହ ୭୯ଟଙ୍କା ଖର୍ଚ୍ଚ ହୋଇଛି। ଠିକ୍ ସେହି ବର୍ଷ ଅବିନାଶ ମହାନ୍ତିଙ୍କ ନାମରେ ୩ଲକ୍ଷ ୪ହଜାର ୫ଶହ ୧୬ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଶେଷାନ୍ତ ରଞ୍ଜନ ନାଥଶର୍ମାଙ୍କ ନାମରେ ୨ ଲକ୍ଷ ୬୧ ହଜାର ୨ଶହ ୧୫ଟଙ୍କା ବ୍ୟୟ କରାଯାଇଛି।
ଦୁଇଟି ଯାକ ଏଫ-ଟୁ ଟେଣ୍ଡର ଡିସେମ୍ବର ୯ତାରିଖ ୨୦୨୦ରୁ ଆରମ୍ଭ କରାଯାଇ ୧୫ଦିନ ମଧ୍ୟରେ ଅର୍ଥାତ୍ ଡିସେମ୍ବର୨୩ ତାରିଖ ସୁଦ୍ଧା ଖର୍ଚ୍ଚ କରାଯାଇଛି। ସେହିଭଳି ଏହି ପାଟନାଳୀ ଖନନରେ ୨୦୨୧ ନଭେମ୍ବର ୨୨ରୁ ଡିସେମ୍ବର ୬ ମଧ୍ୟରେ ୨ଟି ଏଫ୍-ଟୁ କରାଯାଇଛି। ଗୋଟିଏ ନିରଞ୍ଜନ ସାହୁଙ୍କ ନାମରେ ୧ଲକ୍ଷ ୧୮ହଜାର ୫ଶହ ୫୬ଟଙ୍କା ହୋଇଥିବାବେଳେ ସଶ୍ମିତା ମହାନ୍ତିଙ୍କ ନାମରେ ୧ଲକ୍ଷ ୫୮ହଜାର ୪ଶହ ୪୬ଟଙ୍କା ଖର୍ଚ୍ଚ କରାଯାଇଛି। ସେହିପାଟନାଳୀରେ ୨୦୨୧ ମାର୍ଚ୍ଚ ୧୫ରୁ ୨୯ତାରିଖ ମଧ୍ୟରେ କିଶୋର ଚନ୍ଦ୍ର ବେହେରାଙ୍କ ନାମରେ ୪ଲକ୍ଷ ୯୧ହଜାର ୫ଶହ ୪୮ଟଙ୍କା ଖର୍ଚ୍ଚ କରାଯଇଥିବା ଦର୍ଶାଯାଇଛି। ପୁନର୍ବାର ୨୦୨୨ ଜାନୁୟାରୀ ୧୦ରୁ ୨୪ତାରିଖ ମଧ୍ୟରେ ପ୍ରକାଶ ଚନ୍ଦ୍ର ରାଉତଙ୍କ ନାମରେ ୩ଲକ୍ଷ ୨୦ହଜାର ୬ଶହ ୩୬ଟଙ୍କା ଖର୍ଚ୍ଚ କରାଯାଇଥିବା ବିଭାଗ ତରଫରୁ ଦର୍ଶାଯାଇଥିବା ବେଳେ କାମରେ କିନ୍ତୁ ଟଙ୍କାଟିଏ ବି ଖର୍ଚ୍ଚ କରାଯାଇନାହିଁ। ବର୍ଷାଦିନେ ଚାଷ ଜମିରୁ ଜଳ ନିଷ୍କାସନ ପାଇଁ ଏହି ପାଟନାଳୀ ବ୍ୟବହୃତ ହେଉଥିବା ବେଳେ ପ୍ରକୃତ ପକ୍ଷେ ଚାଷୀଙ୍କର ପାଟନାଳୀ ଦୁଃଖର କାରଣ ପାଲଟିଛି। ଏହି ପାଟନାଳୀ ଦେଇ ପାଣି ନିଷ୍କାସନ ହେଉ ନ ଥିବାରୁ ବହୁ ଚାଷ ଜମି ବୁଡ଼ି ରହୁଛି। ଏ ସମ୍ପର୍କରେ ଡ୍ରେନେଜ୍ ଡିଭିଜନ୍ର ଅଧୀକ୍ଷଣ ଯନ୍ତ୍ରୀ ଦିଲ୍ଲୀପ କୁମାର ମହାପାତ୍ର କହିଛନ୍ତି, ପ୍ରତ୍ୟେକ ବର୍ଷ ପାଟନାଳୀ ଗୁଡ଼ିକ ସଫେଇ ହୋଇଥାଏ। ସେଥିପାଇଁ ଏହି ବ୍ୟୟବରାଦ କରାଯାଇଛି।